ଡାକ୍ତର ହେବାକୁ ଆଗ୍ରହ ବଢ଼ୁଛି: ନିଟ୍‌-ୟୁଜି ପାଇଁ ପଞ୍ଜୀକରଣ କଲେଣି ୨୫ ଲକ୍ଷ

୧୬ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ସମୟ

ଭୁବନେଶ୍ବର: ଏମ୍‌ବିବିଏସ୍‌, ବିଡିଏସ୍‌ ପରି ମେଡିକାଲ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାକୁ ଦେଶରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବାକୁ ମେ’ ୫ରେ ଅନୁଷ୍ଠିତ ହେବାକୁ ଥିବା ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦେଖି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) କର୍ତ୍ତୃପକ୍ଷ ନାମ ପଞ୍ଜୀକରଣ ‌ଶେଷ ତାରିଖକୁ ବୃଦ୍ଧି କରିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀ ମାର୍ଚ୍ଚ ୧୬ ତାରିଖ ରାତି ୧୦ଟା ୫୦ ସୁଦ୍ଧା ନାମ ପଞ୍ଜୀକରଣ ଏବଂ ସେହିଦିନ ରାତି ୧୧ଟା ୫୦ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ ଦାଖଲ କରିପାରିବେ। ମେ’ ୫ ତାରିଖ ଅପରାହ୍ଣ ୨ଟାରୁ ୫ଟା ୨୦ ମଧ୍ୟରେ ଅଫ୍‌ଲାଇନ୍‌ରେ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ପାଇଁ ଦେଶର ବିଭିନ୍ନ ସହର ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା ‌କେନ୍ଦ୍ର କରାଯିବ।

ତେବେ ନିଟ୍‌ ଇତିହାସରେ ପ୍ରଥମଥର ଲାଗି ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଲାଗି ପଞ୍ଜୀକରଣ କରିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୪.୨ ଲକ୍ଷ ଅଧିକ। ସେମାନଙ୍କ ମଧ୍ୟରେ ପ୍ରାୟ ୧୩ ଲକ୍ଷ ଛାତ୍ରୀ ରହିଛନ୍ତି। ‌ଯେଉଁଥିରୁ ଜଣାପଡ଼ୁଛି ଯେ ଡାକ୍ତର ହେବାକୁ ଛାତ୍ରୀମାନେ ଅଧିକ ମନ ବଳାଉଛନ୍ତି। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେଡିକାଲ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଅଧିକ ରହିଛି। ଉକ୍ତ ଦୁଇ ରାଜ୍ୟର ୨ ଲକ୍ଷରୁ ଅଧିକ ଲେଖାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ରାଜସ୍ଥାନ, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଚିନ୍ତାର ବିଷୟ ହେଉଛି ଯେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପରେ ବି ଏହି ପ୍ରବେଶିକା ପରୀକ୍ଷା ଲାଗି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେତେ ବୃଦ୍ଧି ପାଇ ନାହିଁ। ଦେଶର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଆସୁଥିଲେ ମଧ୍ୟ ଏଠାକାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଲକ୍ଷ ଟପି ପାରିନି। ଏବେ ସୁଦ୍ଧା ଓଡ଼ିଶାର ପାଖାପାଖି ୬୭ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

ଯଦି ଦେଖାଯାଏ, ୨୦୧୩ରେ ଏହି ପ୍ରବେଶିକା ପରୀକ୍ଷା ଦେବାକୁ ୭ ଲକ୍ଷ ୧୭ ହଜାର ୧୨୭ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ୨୦୧୪ରେ ତାହା ୫,୭୯,୭୦୭, ୨୦୧୫ରେ ୩,୭୪,୩୮୬, ୨୦୧୬ରେ ୮,୦୨,୫୯୪, ୨୦୧୭ରେ ୧୧,୩୮,୮୯୦, ୨୦୧୮ରେ ୧୩,୨୬,୭୨୫ରେ ପହଞ୍ଚିଥିଲା। ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କୋଭିଡ୍‌ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳି ନ ଥିଲା। ୨୦୧୯ରେ ୧୫,୧୯,୩୭୫, ୨୦୨୦ରେ ୧୫,୯୭,୪୩୫, ୨୦୨୧ରେ ୧୬,୧୪,୭୭୭ ଓ ୨୦୨୨ରେ ୧୮,୭୨,୩୪୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ୨୦୨୩ରେ ତାହା ୨୦ ଲକ୍ଷ ୮୭ହଜାର ୪୬୨ରେ ପହଞ୍ଚିଥିଲା। ଏଥର ପଞ୍ଜୀକରଣ ଶେଷ ହେବା ବେଳକୁ ୨୬ ଲକ୍ଷ ଟପିବ ବୋଲି କୁହାଯାଉଛି। ଚଳିତବର୍ଷ ପ୍ରାୟ ୨ ଲକ୍ଷ ସିଟ୍‌ରେ ନାମଲେଖା ହେବ। ଯେଉଁଥିରେ ୧ଲକ୍ଷ ୧୦ ହଜାର ଏମ୍‌ବିବିଏସ୍‌ ଓ ୨୬ ହଜାର ବିଡିଏସ୍‌ ସିଟ୍‌ ସମେତ ଆର୍ୟୁବେଦ, ହୋମିଓପାଥି, ନର୍ସିଂ, ଭେଟେରିନାରି ପାଠ୍ୟକ୍ରମ
ପାଇଁ ମଧ୍ୟ ସିଟ୍‌ ରହିଛି।

ସମ୍ବନ୍ଧିତ ଖବର