ତେଲ ପରେ ଗ୍ୟାସ୍‌କୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ

ଗ୍ୟାସ୍‌ ସିଲିଣ୍ଡର ଉପରେ କେନ୍ଦ୍ର ୪୦୦ଟଙ୍କା ସବ୍‌ସିଡି ଦେଉ: ଯୋଗାଣ ମନ୍ତ୍ରୀ
କୋଭିଡ ମୁକାବିଲାରେ ଖର୍ଚ୍ଚ ହୋଇଥିବା ୭୫ହଜାର କୋଟି ଆସିବ କେଉଁଠୁ?: ବିଜେପି
ମମିତା ହତ୍ୟାକାଣ୍ଡ ଉପରୁ ଦୃଷ୍ଟି ହଟାଇବାକୁ ବିଜେଡିର ଚାଲ୍‌: କଂଗ୍ରେସ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧିକୁ ନେଇ କିଛି ଦିନ ତଳେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିବା ବେଳେ ଏବେ ରନ୍ଧନ ଗ୍ୟାସ୍‌କୁ ନେଇ ସମାନ ପରିସ୍ଥିତି ଉପୁଜିଛି। ରନ୍ଧନ ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ିଯାଇଥିବାରୁ ଏହା ଉପରେ କେନ୍ଦ୍ର ସରକାର ୪୦୦ଟଙ୍କା ସବ୍‌ସିଡି ଦେବାକୁ ବିଜେଡି ଦାବି କରିଛି। ହେଲେ ବିରୋଧୀ ବିଜେପି କହିଛି ଯେ କୋଭିଡ ପରିଚାଳନା ପାଇଁ ଯେଉଁ ୭୫ହଜାର କୋଟି ଖର୍ଚ୍ଚ ହୋଇଛି ତାହା କେଉଁଠୁ ଭରଣା ହେବ।

ଶନିବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଏଲ୍‌ପିଜି ଗ୍ୟାସ୍‌ ଦର ଗୃହିଣୀଙ୍କୁ ବାଧୁଛି। ଯେଉଁ ଏଲ୍‌ପିଜି ଉପରେ ୪୦୦ରୁ ୪୫୦ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳୁଥିଲା ତାହାକୁ ଏବେ ତୈଳ କମ୍ପାନିଗୁଡ଼ିକ ୧୩ଟଙ୍କା ୯୫ପଇସାକୁ କମାଇଦେଲେଣି। ମା’ ଭଉଣୀଙ୍କ ଦେହରେ ଧୂଆଁ ବାଜିବନି ‌କହି ଯେଉଁମାନେ ମାଗଣାରେ ଉଜ୍ଜ୍ବଳା ଗ୍ୟାସ୍‌ ବାଣ୍ଟିଥିଲେ ସେମାନେ ଏବେ ସିଲିଣ୍ଡର କେମିତି ଭର୍ତ୍ତି ହେବ ଚିନ୍ତା କରୁନାହାନ୍ତି। ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍ ହଜାରେ ଟଙ୍କା ପାଖାପାଖି ପହଞ୍ଚିଥିବାରୁ ବହୁ ମା’ ଭଉଣୀ ଏବେ ଗ୍ୟାସ୍ ଭର୍ତ୍ତି କରିପାରୁନାହାନ୍ତି। ତେଣୁ ରନ୍ଧନ ଗ୍ୟାସ୍‌ ଉପରେ ଅତି କମ୍‌ରେ ୪୦୦ ଟଙ୍କା ସବ୍‌ସିଡି ନଦେଲେ ଲୋକଙ୍କର ଚଳିବା କଷ୍ଟକର ହୋଇଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ଏହାର ଜବାବ୍ ଦେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ଦେଶର ସାଢେ ୭ କୋଟି ଲୋକଙ୍କୁ ଉଜ୍ଜ୍ବଳା ଯୋଜନା ଜରିଆରେ ଗ୍ୟାସ୍‌ ଯୋଗାଇ ଦିଆଯାଉଛି। ଯେତେବେଳେ ଗ୍ୟାସ ଦର ଘୋଷଣା କରାଗଲା ସେତେବେଳେ କୋଭିଡ୍ ନଥିଲା। କୋଭିଡ୍‌ ଯୋଗୁଁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଟଙ୍କା ଆସିବ କେଉଁଠୁ? ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଥିବା ଟିକସ ରାଜ୍ୟ ସରକାର କାଟନ୍ତୁ। ଦରଦାମ୍‌ କମାଇବା କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଛି। ଦରଦାମ୍‌ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସମବାୟ ମନ୍ତ୍ରୀ ଆଗେ ନିଜ ବିଭାଗକୁ ସମ୍ଭାଳନ୍ତୁ ବୋଲି ଶ୍ରୀ ସେଠୀ କହିଛନ୍ତି। ଏହାସହ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍‌ ସମସ୍ୟା ସମାଧାନ ହୋଇଛି। ଆଗକୁ ଗ୍ୟାସ୍‌ ସମସ୍ୟା ସମାଧାନ ହୋଇପାରେ।

ସେହିପରି କଂଗ୍ରେସ ମୁଖପାତ୍ର ସସ୍ମିତା ବେହେରା କହିଛନ୍ତି ଯେ କେନ୍ଦ୍ର ସରକାର ଦରଦାମ୍ ବୃଦ୍ଧି କରିବା ସମୟରେ ରାଜ୍ୟ ସରକାର କାହିଁକି ନିରବ ରହିଥିଲେ? ମମିତା ମେହେର ହତ୍ୟା ମାମଲାରୁ ଧ୍ୟାନ ହଟାଇବା ଓ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେଡି ଏଭଳି କୁମ୍ଭୀର କାନ୍ଦଣା କାନ୍ଦୁଛି। ଶ୍ରୀମତୀ ବେହେରା କହିଛନ୍ତି ଯେ ଗତ ୭ବର୍ଷ ଭିତରେ ଗ୍ୟାସ୍ ସିଲିଣ୍ଡର ଦର ୪୫୯ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷଠାରୁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଉପରେ କୌଣସି ସବ୍‌ସିଡି ଦେଇ ନାହାନ୍ତି। ଗତବର୍ଷ ଯେତେବେଳେ ‌ସାରାଦେଶ ମହାମାରୀରେ ପୀଡ଼ିତ ଥିଲା ସେ ସମୟରେ କେନ୍ଦ୍ର ସରକାର ସିଲିଣ୍ଡର ପିଛା ୨୦୦ ଟଙ୍କା ବୃଦ୍ଧି କରିଥିଲେ। ହେଲେ ସେ ସମୟରେ ଆମ ମୁଖ୍ୟମନ୍ତ୍ରୀ ଏହାର ବିରୋଧ କରି ନାହାନ୍ତି। କେବଳ ଗ୍ୟାସ୍‌ର ଦର ବୃଦ୍ଧି ପାଇଁ ନୁହେଁ, ଖାଦ୍ୟ ସାମଗ୍ରୀ, ପନିପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ‌ଅହେତୁକ ଦରବୃଦ୍ଧି ପାଇଁ ଖାଉଟି ମୁଦ୍ରାସ୍ଫିତି ୧୦ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟ ସରକାର ଯଦି ସିଲିଣ୍ଡର ଦର ହ୍ରାସ କରିବାକୁ ଚାହୁଁଛନ୍ତି ତାହାଲେ ସିଲିଣ୍ଡର ଉପରେ ନେଉଥିବା ୨.୫ ପ୍ରତିଶତ ଜିଏସ୍‌ଟିକୁ ଶୀଘ୍ର ଛାଡ଼ କରନ୍ତୁ।

ସୂଚନାଯୋଗ୍ୟ ଯେ, ଗ୍ୟାସ୍‌ ଦର ବୃଦ୍ଧ ପ୍ରତିବାଦରେ ବିଜେଡି ପକ୍ଷରୁ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ତିନି ଆର୍‌ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାପରେ ଗ୍ୟାସ୍‌ ଦର କମାଇବାକୁ ଆର୍‌ଡିସିଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯିବ।

ସମ୍ବନ୍ଧିତ ଖବର