ପଲିଥିନ ତଳେ ପରିବାର

ବ୍ରହ୍ମବରଦା:ନିଜ ନାମରେ ଘରଡିହ ନାହିଁ। ଏଣୁ ଗରିବ ଲୋକଟିଏ ପାଉନାହିଁ ଆବାସ ଯୋଜନାରେ ଘର। ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତ ବଡ଼ବାଗସାହି ଗ୍ରାମ ୧୦ ନମ୍ବର ୱାର୍ଡର ବାସିନ୍ଦା ଅଶୋକ ବାରିକ ଓ ତାଙ୍କ ପତ୍ନୀ ମାତନ ବାରିକ। ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ନିଜ ନାମରେ ଜମିବାଡ଼ି କିଛି ନାହିଁ। ୯ ବର୍ଷ ହେଲା ଗ୍ରାମରେ ଥିବା ଏକ ଅନାବାଦୀ ଜମିରେ ଜରିପାଲ ତଳେ ଦୁଇ ବଖରାବିଶିଷ୍ଟ ଏକ ଝାଟିମାଟି କୁଡ଼ିଆରେ ୬ ପ୍ରାଣୀ କୁଟୁମ୍ବ ରହୁଛନ୍ତି।

ଘର ଖଣ୍ଡେ ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ରାସନକାର୍ଡ ଅଛି ହେଲେ ମିଳୁଛି ୨୦ କେଜି ଚାଉଳ। ଦୁଇଜଣଙ୍କ ନାଁରେ ମିଳୁନାହିଁ। ଘର ଘଣ୍ଡେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବଳ୍ପ ରୋଜଗାରରେ ଜମି ଖଣ୍ଡେ କିଣି ଘର କରିବାକୁ ସକ୍ଷମ ହେଉ ନାହାନ୍ତି। ଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ମାଗଣା ବିଦ୍ୟୁତ୍‌କରଣ ଯୋଜନା ତାଙ୍କ ଘରେ ପହଞ୍ଚି ପାରିନାହିଁ। ଏଠି ତାହା ଫେଲ୍‌ ମାରିଛି। ଡିବିରି ଆଲୁଅରେ ରାତି ବିତୁଛି। ବିଗତ ଦିନରେ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ ସିଲିଣ୍ଡର ପାଇଥିଲେ ମଧ୍ୟ ଏବେ ଦର ବହୁ ଅଧିକ ବଢ଼ିଯାଇଥିବାରୁ ଗ୍ୟାସ ଭରିବାକୁ ସକ୍ଷମ ହେଉ ନାହାନ୍ତି। ଫଳରେ ଚୁଲି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଗରିବ ପରିବାରକୁ ଜମି ଓ ଘର ଖଣ୍ଡେ ଯୋଗାଇ ଦେବାକୁ ମାତନ ବାରିକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର