ପାରିବାରିକ କଳହ: ଭାଇଭଉଣୀଙ୍କ ଆତ୍ମହତ୍ୟା

ଧାମନଗର/କୋଠାର/ଅସୁରାଳି: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ କୋଠାର ଗାଁରେ। ଦାଦା-ବାପାଙ୍କ କଳିରେ ଅତିଷ୍ଠ ଭାଇଭଉଣୀ ଜୀବନ ହାରିଛନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ଦୁଇ ପରିବାରରେ ବିଷାଦ ଖେଳି ଯାଇଥିବା ବେଳେ ଲୋକେ ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି।

କୋଠାର କଚେରିଦାଣ୍ଡ ସାହିରେ ରହୁଥିବା ଦୁଇ ଭାଇ ଲକ୍ଷ୍ମୀଧର ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ଜାଗାବାଡ଼ି ଭାଗବଣ୍ଟାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି (ଶନିବାର) ସାନଭାଇ ବିଦ୍ୟାଧରଙ୍କ ଘର ଛପର କାମ ହେଉଥିଲା। ନଡ଼ା ରଖିବାକୁ କେନ୍ଦ୍ର କରି ଲକ୍ଷ୍ମୀଧର ଓ ବିଦ୍ୟାଧରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବା ସହ ଦୁହେଁ ଧସ୍ତାଧସ୍ତି ଏପରିକି ହାତାହାତି ମଧ୍ୟ ହୋଇଥିଲେ। ଦୁଇ ପରିବାର ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗିଥାଏ। ପରିବାର ମଧ୍ୟରେ ବାରମ୍ବାର ଏଭଳି ବିଶୃଙ୍ଖଳା ଓ କଳିଝଗଡାରେ ଅତିଷ୍ଠ ଥିଲେ ବିଦ୍ୟାଧରଙ୍କ ପୁଅ ସନାତନ (୨୧)। ଆଜିର ଘଟଣାରେ ମାନସିକ ଭାରସାମ୍ୟ ହରାଇ ସନାତନ ସମସ୍ତଙ୍କ ଅଗୋଚରରେ ଗୁହାଳ ଘର ନିକଟରେ ବେକରେ ରଶି ଦେଇ ଝୁଲି ପଡ଼ିଥିଲେ। ଏ କଥା ଘର ଲୋକ ଜାଣିବା ବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ରଶି କାଟି ସନାତନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସାହି ଲୋକେ ମୃତ ସନାତନଙ୍କ ବଡ଼ବାପା ଲକ୍ଷ୍ମୀଧରଙ୍କୁ ଛି’ ଛାକର କରିଥିଲେ। ଏହା ଝିଅ ନିରୁପମା (୨୭)ଙ୍କୁ ବାଧିଥିଲା। ଦୁଇ ପରିବାରରେ କଳି ସତ୍ତ୍ବେ ନିରୁପମା ସାନବାପାଙ୍କ ପୁଅ ସନାତନଙ୍କୁ ଖୁବ୍‌ ଭଲ ପାଉଥିଲେ। ଗୋଟିଏ ପଟେ ବାପାଙ୍କୁ ଗାଁ ଲୋକଙ୍କ ଟାହିଟାପରା ଓ ଭାଇର ଆତ୍ମହତ୍ୟାରେ ମାନସିକସ୍ତରରେ ବିଚଳିତ ହୋଇ ପଡ଼ିଥିଲେ ନିରୁପମା। ସେ ମଧ୍ୟ ପରିବାରର ଅଗୋଚରରେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ଉଭୟଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଏ ନେଇ ଧୂଷୁରୀ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ଏକାଠି ଭାଇଭଉଣୀଙ୍କ ଜୁଇ ଜଳିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର