ସିଡିଏମ୍ଓ କାର୍ଯ୍ୟାଳୟରେ ୨ ଡାକ୍ତରଙ୍କ ତୁମୁଳକାଣ୍ଡ: ଭଙ୍ଗାରୁଜା କଲେ, କର୍ମଚାରୀଙ୍କୁ ପିଟିଲେ ଥାନାରେ ଏତଲା

ସମ୍ବଲପୁର: ଡାକ୍ତରମାନେ ସବୁବେଳେ ରୋଗୀ ସେବାରେ ଲାଗିଥାନ୍ତି। ସେଥିପାଇଁ ଲୋକେ ଡାକ୍ତରଙ୍କୁ ଭଗବାନଙ୍କ ସହ ମଧ୍ୟ ସମାନ କରନ୍ତି। ତେବେ ସମ୍ବଲପୁରରେ ନିଜର ପେସା ଭୁଲି ଯାଇଥିବା କିଛି ଡାକ୍ତରଙ୍କ ଗୁଣ୍ଡାରାଜ୍‌ ଶନିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ୨ ଜଣ ଡାକ୍ତର ତାଙ୍କର ଆଉ ୨ ଜଣ ସହଯୋଗୀଙ୍କ ସହ ମିଶି ଭଙ୍ଗାରୁଜା କରିବା ସହ ବରିଷ୍ଠ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୧୦ ହଜାର ଇନ୍‌ସେନ୍‌ଟିଭ୍‌ ଟଙ୍କା ପାଇଁ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ପ୍ରଶାନ୍ତ ଓରାମ ଶନିବାର ଦିନ ସାଢ଼େ ୧୧ଟା ବେଳେ ସିଡିଏମ୍ଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରଥମେ ଆକାଉଣ୍ଟାଣ୍ଟଙ୍କୁ ପଚାରିବାରୁ ଡକ୍ୟୁମେଣ୍ଟ ଠିକ୍‌ ନଥିବା ସେ କହିଥିଲେ। ତାପରେ ପାଟିତୁଣ୍ଡ କରି ଡାକ୍ତର ଓରାମ୍‌ ସେଠାରୁ ଫେରି ଯାଇଥିଲେ। ଡାକ୍ତର ପ୍ରଶାନ୍ତ ଓରାମ୍‌ ଅପରାହ୍ଣ ସାଢ଼େ ୩ଟା ପାଖାପାଖି ଡାକ୍ତର ଦିଲୀପ ପାଣିଗ୍ରାହୀ ଓ ୨ ଜଣ ସହଯୋଗୀଙ୍କୁ ଧରି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ପହଞ୍ଚି ପାଟିତୁଣ୍ଡ ଆରମ୍ଭ କରିଥିଲେ। କାହିଁକି ହୋଇପାରିବ ନାହିଁ ବୋଲି ଯୁକ୍ତି କରି ଗାଳିଗୁଲଜ କରିଥିଲେ। ଆକାଉଣ୍ଟାଣ୍ଟ ଓ ମୁଖ୍ୟ କିରାଣିଙ୍କ ରୁମ୍‌ରେ ଭଙ୍ଗାରୁଜା କରିଥିଲେ। ବିରୋଧ କରିବାରୁ ବରିଷ୍ଠ କିରାଣି ପ୍ରଶାନ୍ତ ମିଶ୍ର ଓ ସୁକଦେବ ଦେବଗନଙ୍କୁ ବେଟେନ୍‌ରେ ମାରିଥିଲେ। ଘଟଣା ପରେ କର୍ମଚାରୀମାନେ ସିଡିଏମ୍‌ଓଙ୍କୁ ସବୁ କଥା ଜଣାଇଥିଲେ। ପରେ ସିଡିଏମ୍‌ଓଙ୍କ ଅଭିଯୋଗ ଆଧାରରେ ଟାଉନ୍‌ ଥାନା ପୁଲିସ ୨ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର