ମଞ୍ଜି ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ଜୁଲାଇ ୩୦କୁ ବଢ଼ିଲା

ଭୁବନେଶ୍ବର : ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କ ଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି। ଏଥି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଜୁଲାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛି। କରୋନା ଯୋଗୁ ଲକ୍‌ଡାଉନ୍ ବଳବତ୍ତର ଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନାମ ପଞ୍ଜୀକରଣକୁ ସୁଗମ କରିବା ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଚାଷୀ ଚିହ୍ନଟ ଓ ନାମ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଯଥା ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠା, ଚାଷ ଜମିର ଦଲିଲ ଏବଂ ଜମି ପରିମାଣର କାଗଜପତ୍ର ଆବଶ୍ୟକ। ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ମେ’ ୭ ତାରିଖରୁ ମାର୍କଫେଡ୍‌ ଦ୍ବାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଉଛି। ନାଫେଡ୍‌ ପକ୍ଷରୁ ରାଜ୍ୟରେ ମାର୍କଫେଡ୍‌ ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ୍‌, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରୁଛି। ଏହି ସଂଗ୍ରହ କାର୍ଯ୍ୟ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ ଉତ୍ପାଦନ ହେଉଥିବା ରାଜ୍ୟର ୧୬ଟି ଜିଲ୍ଲାରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଡାଲି, ତୈଳବୀଜ ସଂଗ୍ରହ କରାଯିବ। ଚାଷୀମାନଙ୍କ ଅବଗତି ନିମନ୍ତେ ସଂଗ୍ରହ କେନ୍ଦ୍ର ଓ ସଂଗ୍ରହ ତାରିଖ ତଥା ସମୟ ବାବଦରେ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଗୁରୁତ୍ବ ଦିଆଯାଇଛି। କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ବ ଏବଂ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର