ପରିବା ବଜାରରେ କ‌ରୋନା ପ୍ରଭାବ: ଚାଷୀ ହତାଶ, ଖାଉଟି ଖୁସ୍‌

ଭୁବନେଶ୍ବର: ମହାମାରୀ କୋଭିଡ୍‌-୧୯ ପାଇଁ ପରିବା ବଜାର ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ପରିବା ଦର ହ୍ରାସ ପ‌ାଇ ବଜାର ଉପରେ ଚଡ଼କ ପଡ଼ିବା ଅବସ୍ଥା। ଅଧିକାଂଶ ଜରୁରୀ ପରିବା ୨୦/୨୫ ଟଙ୍କା ମଧ୍ୟରେ ରହିଛି। ଫଳରେ ଚଳିତ ବର୍ଷ ପରିବା ଚାଷୀ ଆଶାନୂରୁପ ଲାଭ ପାଉନାହାନ୍ତି। ଅପରପକ୍ଷରେ କରୋନା କଟକଣା ପାଇଁ ହଜାର ହଜାର ଶ୍ରମିକ ତଥା ଘରୋଇ ସଂସ୍ଥାର କର୍ମଜୀବୀମାନେ ବେରୋଜଗାର ହୋଇ ଘରେ ବସି ରହିଥିବାରୁ ପରିବା ଦର ହ୍ରାସ ସେମାନଙ୍କ ପାଇଁ ବେଶ୍ ସୁହାଇଛି। ପାଇକାରୀ ବଜାର ସୂତ୍ର ଅନୁସାରେ ବର୍ତ୍ତମାନ ବାଇଗଣ କିଲୋ ପିଛା ୧୨ରୁ ୧୪ ଟଙ୍କା, ଭେଣ୍ଡି ୧୫ରୁ ୧୮ ଟଙ୍କା, ଝୁଡ଼ଙ୍ଗ ୨୦ରୁ ୨୫ ଟଙ୍କା, ଟମାଟୋ ୧୫ରୁ ୧୭ ଟଙ୍କା, ବିନ୍‌ସ ୨୨ରୁ ୨୫ ଟଙ୍କା, କଲରା‌ ୧୫ରୁ ୧୮ ଟଙ୍କା, ଜହ୍ନି ୨୨ରୁ ୨୫ ଟଙ୍କା, ଦେଶୀ ପୋଟଳ ୩୦ରୁ ୩୫ ଟଙ୍କା, କଲିକତି ପୋଟଳ ୧୫ରୁ ୧୮ ଟଙ୍କା, ସଜନା ଛୁଇଁ ୩୦ରୁ ୩୫ ଟଙ୍କା ଓ ଗାଜର ୧୮ରୁ ୨୦ ଟଙ୍କା ଦରରେ ବିକ୍ରି ହେଉଛି। ଖୁଚୁରା ବେପାରୀମାନେ ଏହି ଦରରେ କିଣୁଥିବା‌ବେଳେ କିଲୋ ପିଛା ୪/୫ ଟଙ୍କା ଲାଭ ରଖି ସେମାନେ ଖାଉଟିମାନଙ୍କ ପାଖ‌ରେ ପରିବା ପହଞ୍ଚାଉଛନ୍ତି।

କରୋନା କଟକଣା ତାଲାବନ୍ଦ ପାଇଁ ଏବେ ବିଭିନ୍ନ ବର୍ଗର ଲୋକେ ରୋଜଗାର ହରାଇ ବସିଛନ୍ତି। ଫଳରେ ଅର୍ଥାଭାବ ଏବେ ସମସ୍ତଙ୍କୁ ଗ୍ରାସ କରିଛି ଓ ଲୋକେ ମାପିଚୁପି ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ପରିବା ଦର ହ୍ରାସ ଲୋକଙ୍କ ଜୀବନ ବଞ୍ଚାଇଛି ବୋଲି କୁହାଯାଉଛି। ବିଶେଷ କରି ଆଳୁ(୨୦/୨୨ ଟଙ୍କା) ପିଆଜ(୧୮/୨୦ଟଙ୍କା) ଓ ବାଇଗଣ(୨୦ ଟଙ୍କା ତଳକୁ) ଦର ଥିବାରୁ ଗରିବ ଶ୍ରେଣୀର ଲୋକେ ଅର୍ଥାଭାବ ସମୟର ଦର ବୃଦ୍ଧି ଯନ୍ତ୍ରଣାରୁ କିଛିଟା ଆଶ୍ବସ୍ତି ଲାଭ କରିଛନ୍ତି।

ଚନ୍ଦକା ଅଞ୍ଚଳର ପରିବା ଚାଷୀ ନୀଳମଣି ନାଥଙ୍କ କହିବା କଥା ବିଲ ମୁଣ୍ଡ‌ରେ ସେମାନେ ବାଇଗଣ କିଲୋ ପିଛା ୮/୧୦ ଟଙ୍କାରେ ବିକୁଛନ୍ତି। ବଜାରରେ ଖାଉଟିମାନେ କିଣୁଥିବା ଦରଠାରୁ ପାଖାପାଖି ୮ ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମ୍ ଦରରେ ସେମାନେ ବିଲ ମୁଣ୍ଡରେ ବେପାରୀକୁ ବିକୁଛନ୍ତି। ଯେଉଁ ଚାଷୀମାନେ ନିଜେ କଣ୍ଟା ପାଖକୁ (ପାଇକାରୀ ବଜାର) ଯାଇ ପାରୁଛନ୍ତି, ସେମାନେ କିଛି ପଇସା ଅଧିକ ପାଉଛନ୍ତି। କିନ୍ତୁ ଚଳିତ ବର୍ଷ କରୋନା ସେମାନଙ୍କ ପାଇଁ ବିପୁଳ କ୍ଷତି ଆଣିଛି ବୋଲି କହିଛନ୍ତି। ଖୋର୍ଦ୍ଧା ମନ୍ଦାରବସ୍ତର ପୋଟଳ ଚାଷୀ ମଙ୍ଗୁଳି ବେହେରା କହିଛନ୍ତି, ଗତ ୧୦ ବର୍ଷ ଭିତରେ ମନ୍ଦାରବସ୍ତ ପୋଟଳ ବଜାରରେ ୫୦ ଟଙ୍କା ତଳକୁ ବିକ୍ରି ହୋଇନଥିଲା। ଅଧିକାଂଶ ସମୟ ପୋଟଳ କିଲୋ ୬୦ରୁ ୭୦ ଟଙ୍କା ମଧ୍ୟରେ ରହିଥାଏ। କିନ୍ତୁ ଚଳିତ ବର୍ଷ ବଜାରରେ ୩୫ ଟଙ୍କା ଓ ବିଲ ମୁଣ୍ଡରେ ୨୦ ଟଙ୍କାରେ ବିକ୍ରି ହେଉଛି। ବିବାହ ବ୍ରତ ଭଳି ସାମାଜିକ ପର୍ବପର୍ବାଣି, ବଡ଼ ବଡ଼ ଛାତ୍ରାବାସ ଭଳି ପ୍ରତିଷ୍ଠାନ, ହୋଟେଲ ଓ ଲୋକଙ୍କ ରୋଜଗାର ବନ୍ଦ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି କଣ୍ଟା କରୁଥିବା ବ୍ୟବସାୟୀ ପ୍ରକାଶ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର