ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଉ ନାହାନ୍ତି ଚାଷୀ; ଲାଭରେ ରହୁଛନ୍ତି ବୀମା କମ୍ପାନି

ଭୁବନେଶ୍ବର: ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବୀମା ଯୋଜନା, ଚାଷୀଙ୍କ କାମରେ ଲାଗୁନି । ଦୈବୀ ଦୁର୍ବିପାକରେ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବାକୁ ଚାଷୀ ବୀମା କରୁଛନ୍ତି, ଉଭୟ ଚାଷୀ ଓ ସରକାର ପ୍ରିମିୟମ ପୈଠ କରୁଛନ୍ତି । ହେଲେ ଫସଲ ନଷ୍ଟ ହେଲେ ବୀମା ଟଙ୍କା ଦେବାକୁ ଆଗେଇ ଆସୁ ନାହାନ୍ତି ବୀମା କମ୍ପାନି ବୋଲି ସମ୍ବଲପୁର ଜିଲ୍ଲାରୁ ଅଭିଯୋଗ ଆସିଛି।

ବହୁ ଚାଷୀଙ୍କୁ ପ୍ରକୃତ ଫସଲ କ୍ଷତିର ବୀମା ରାଶି ମିଳୁନାହିଁ । ବରଗଡ ଜିଲ୍ଲା ପଦ୍ମପୁରରୁ ମଧ୍ୟ ଆସିଛି ସେହି ସମାନ ଅଭିଯୋଗ । ୨୦୨୦ ମସିହାରେ ଚାଷୀ ସମବାୟ ସମିତିରେ ଫସଲ ବୀମା କରିଥିଲେ । ଫସଲ ନଷ୍ଟ ହୋଇଥିବା ସତ୍ତ୍ୱେ ତାଙ୍କୁ କ୍ଷତିପୂରଣ ବୀମା ରାଶି ମିଳିନାହିଁ ।

ଏହାକୁ ନେଇ ଏବେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା ଅଭିଯୋଗ ଆଣି କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ବୀମା କମ୍ପାନି ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି, ଚାଷୀଙ୍କୁ ସହାୟତା ନକରି ଲାଭ କରୁଥିବା କହିଛି ବିଜେଡି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏହି ହିସାବ ଦେଇ କହିଛନ୍ତି, ଖରିଫ୍ ୨୦୨୦ ସୁଦ୍ଧା ୬୧୬୩ କୋଟି ଟଙ୍କା ପ୍ରିମିୟମ ଦିଆଯାଇଥିଲା । ବୀମା ବାବଦରେ ଚାଷୀଙ୍କୁ ମିଳିଥିଲା ୫,୦୯୮ କୋଟି ଟଙ୍କା । ବୀମା କମ୍ପାନି ଲାଭ କରିଥିଲା ୧୦୬୪ କୋଟି ଟଙ୍କା । ଯାହା ମୋଟ ପ୍ରିମିୟମର ୧୭.୨୭ ପ୍ରତିଶତ ।

୨୦୧୬ ଏପ୍ରିଲରୁ ଦେଶରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଗତ ୫ବର୍ଷରେ ୧ଲକ୍ଷ ୨୬ହଜାର କୋଟି ଟଙ୍କା ପ୍ରିମିୟମ ଆଦାୟ କରିଛନ୍ତି ବୀମା କମ୍ପାନି କିନ୍ତୁ ଚାଷୀଙ୍କୁ ବୀମା ଭରଣା କରିଛନ୍ତି ୮୭ ହଜାର ୩୨୦ କୋଟି ଟଙ୍କା । ଅର୍ଥାତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନିଗୁଡିକ ଲାଭ କରିଛନ୍ତି ପ୍ରାୟ ୪୦ ହଜାର କୋଟି ଟଙ୍କା ।

 

ସମ୍ବନ୍ଧିତ ଖବର