ଖଣି ମାଲିକଙ୍କୁ ଶକ୍ତ ଆଘାତ

୭୫୫୨ କୋଟିର ତଣ୍ଡ ଗଣିବେ

ଲିଜ୍‌ ରଦ୍ଦ ହେବ, ସଂପତ୍ତି ବ୍ୟାଜ୍ୟାପ୍ତି ବି
ସରକାରଙ୍କୁ ଦିଆଗଲା ଖିଲାପକାରୀଙ୍କ ନାମ, ଠିକଣା

ଭୁବନେଶ୍ୱର : ରାଜ୍ୟରେ ବେଆଇନ ଖଣି କାରବାରରେ ଜଡ଼ିତ ଖଣି ମାଲିକମାନଙ୍କୁ ଜରିମାନା ପୈଠ କରିବାକୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ। ଜରିମାନା ପୈଠ ପାଇଁ ଶେଷ ତାରିଖ ଗଡ଼ିଗଲା ପରେ ଏବେ ରାଜ୍ୟ ସରକାର ୫୬ଜଣ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କଠାରୁ ବକେୟା ଜରିମାନା ବାବଦରେ ୭୫୫୨ କୋଟି ୫୮ ଲକ୍ଷ ୯୫ ହଜାର ୬୯୨ ଟଙ୍କା ଆଦାୟ କରାଯିବ। ଜରିମାନା ନଦେଲେ ଓପିଡିଆର ଆଇନ ଅନୁଯାୟୀ ଖଣି ଲିଜ୍‌ଧାରୀମାନଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ବ୍ୟାଜ୍ୟାପ୍ତି କରାଯିବ। କେବଳ ସେତିକି ନୁହେଁ, ସେମାନଙ୍କର ଖଣି ଲିଜ୍‌ ବି ରଦ୍ଦ କରାଯିବ। ଏ ନେଇ ସେମାନଙ୍କ ନାମ, ଠିକଣା ସମ୍ବଳିତ ସବିଶେଷ ବିବରଣୀ ସରକାରଙ୍କୁ ପ୍ରଦାନ କରିଛି ଖଣି ନିର୍ଦେଶାଳୟ।

ଆଜି ଏ ନେଇ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ ବେଆଇନ ଖଣି ଖନନ ନେଇ ୧୩୭ ଖଣି ଲିଜ୍‌ଧାରୀମାନଙ୍କୁ ମୋଟ ୧୯ ହଜାର ୧୭୪ କୋଟି ୩୮ ଲକ୍ଷ ୩୯୮୦୬ ଟଙ୍କାର ଜରିମାନା ଦେବାକୁ ଡିମାଣ୍ଡ ନୋଟିସ ଜାରି କରାଯାଇଥିଲା। ଜରିମାନା ଦେବାର ସମୟ ସୀମା ଥିଲା ୨୦୧୭ ଡିସେମ୍ବର ୩୧ ତାରିଖ। ଖଣି ଲିଜ୍‌ଧାରୀମାନଙ୍କ ମଧ୍ୟରୁ ୮୧ଜଣ ଲିଜ୍‌ଧାରୀ ସଂପୂର୍ଣ୍ଣ ରୂପେ ଜରିମାନା ପୈଠ କରିଥିଲେ। ଆହୁରି ୧୩ଜଣ ଆଂଶିକ ଜରିମାନା ଦେଇଥିଲେ। ସେମାନଙ୍କଠାରୁ ସମୁଦାୟ ୧୧ ହଜାର ୬୨୧ କୋଟି ୭୯ ଲକ୍ଷ ୪୪୧୨୪ ଟଙ୍କାର ଜରିମାନା ଆଦାୟ ହୋଇଛି। ଖିଲାପକାରୀମାନଙ୍କ ମଧ୍ୟରେ ରହିଛନ୍ତି ଶାରଦା ମାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଗୀତାରାଣୀ ମହାନ୍ତି, ଓଏମ୍‌ଡିସି, ବିପିଏମ୍‌ଇଏଲ୍‌, ମେସ୍କୋ, ଆର.ପି. ସାଓ ପ୍ରମୁଖ।

ଜରିମାନା ପ୍ରଦାନରେ ଖିଲାପ କରିଥିବା ୪୩ଜଣ ଏବଂ ୧୩ଜଣ(ଆଂଶିକ ଜରିମାନା ଦେଇଥିବା) ଏହିରୂପେ ମୋଟ ୫୬ ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୭୫୫୨.୫୯ କୋଟି ଟଙ୍କାର ଜରିମାନା ଆଦାୟ ସହିତ ସେମାନଙ୍କ ଖଣି ଲିଜ୍‌ ରଦ୍ଦ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି। ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଥିବା ବେଳେ ରାଜସ୍ୱ ବିଭାଗ ପ୍ରମୁଖ ସଚିବ, ଖଣି ନିର୍ଦେଶକ, ବାଣିଜ୍ୟକର କମିସନର, ଅର୍ଥନୈତିକ ଅପରାଧ ଶାଖାର ଆଇଜି ସଦସ୍ୟ ରହିଛି। ସେହିପରି ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ, ଖଣି ଉପ ନିର୍ଦେଶକ/ଖଣି ଅଧିକାରୀ, ରେଞ୍ଜ/ସର୍କଲ୍‌ ହେଡ୍‌, ଏଡିଏମ୍‌, ସବ୍‌କଲେକ୍ଟର ସଦସ୍ୟ ରହିଛନ୍ତି। ଏହି କମିଟି ପକ୍ଷରୁ ଖିଲାପକାରୀମାନଙ୍କ ସଂପତ୍ତି ବ୍ୟାଜ୍ୟାପ୍ତି ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଖୁବଶୀଘ୍ର ୫୬ଜଣ ଖିଲାପକାରୀ ଖଣି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର