ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ

ବାଲିକୁଦା : ଦର୍ପଣ ତହସିଲ ରଇପୁର ପଞ୍ଚାୟତର ରଇପୁର ମୌଜାରେ ଥିବା ସରକାରୀ ଜମିକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଖାଲି କରାଯାଇଛି। ଗ୍ରାମର ଜନୈକ ବ୍ୟକ୍ତି ଏହି ଜମିକୁ ଜବରଦଖଲରେ ରଖିଥିଲେ।

ସୂଚନାନୁସାରେ, ରଇପୁର ମୌଜା ଖାତା ନମ୍ବର ୬୬୮ ପ୍ଲଟ୍‌ ନଂ-୩୩୫ରେ ଥିବା ୭ ଡିସିମିଲ ଜମିରୁ ପ୍ରାୟ ୩ ଡିସିମିଲ ରାସ୍ତାରେ ଯାଇଥିବା ବେଳେ ଅବଶିଷ୍ଟ ୪ ଡିସିମିଲ ପତିତ ଅନାବାଦୀ ଜମିକୁ ଗ୍ରାମର ଅଙ୍କୁର ସାହୁ ଓଗେର ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ବହୁ ବାଦବିବାଦ ପରେ ସମସ୍ୟାର ସମାଧାନ ନହେବାରୁ ବଣିଆରି ଗ୍ରାମର ମହନି ଚରଣ ଭୂୟାଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହିଜମି ମଧ୍ୟ ଦେଇ ବର୍ଷାଜଳ ନିଷ୍କାସିତ ହୋଇଥାଏ। ନିକଟରେ ଥିବା ଗ୍ରାମ ଦେବତୀଙ୍କ ପୀଠରେ ବିଭିନ୍ନ ପୂଜା ପାର୍ବଣ ହୋଇଥାଏ। ଜବରଦଖଲକାରୀ ଏହି ଜମିକୁ ନିଜ ଅକ୍ତିଆରକୁ ନେବା ସହ ମାଟି ପକାଇ ଚାଳଘର କରିଥିଲେ। କେସ୍‌ ନଂ-୯୨୧୪/୧୯ ରେ ଉଚ୍ଚନ୍ୟାୟାଳୟ ମାମଲାର ପଞ୍ଜୀକରଣ କରି ଶୁଣାଣି କରିଥିଲେ। ପରେ ଉକ୍ତ ସ୍ଥାନକୁ ଖାଲି କରିବା ପାଇଁ ନିର୍ଦେଶ ଦେଇଥିଲେ।

ଦର୍ପଣ ଅତିରିକ୍ତ ତହସିଲଦାର ଗଗନ କୁମାର ଦାସ, ସୁପରଭାଇଜର ଜଗନ୍ନାଥ ଖଟୁଆ, ଅମିନ ବିରଜା ପ୍ରସାଦ ରାୟ, ରାଜସ୍ବ ନିରୀକ୍ଷକ ସତ୍ୟସୁନ୍ଦର ସାହୁ ଓ ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି ଜବରଦଖଲ ସ୍ଥାନରେ ପହଞ୍ଚି ଜେସିବି ସାହାଯ୍ୟରେ ସେଠାରେ ଥିବା ଚାଳଘର ଓ ଗଛକୁ ଭାଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର