ଏସ୍‌ପିଙ୍କ ନାଁରେ ଫେକ୍‌ ଆଇଡି ଖୋଲି ଠକେଇ, ବଲାଙ୍ଗୀରରୁ ଧରାପଡ଼ିଲା ଠକ ନ‌ାବାଳକ

ଠକାମି ଟଙ୍କାରେ ଅଡି କାର୍‌ କିଣି ବୁଲୁଥିଲା

ରାଉରକେଲା: ପ୍ରଥମେ ରାଜଧାନୀ ଭୁବନେଶ୍ବର, ପରେ ସମ୍ବଲପୁର ଏବଂ ଏବେ ଟାର୍ଗେଟରେ ଥିଲା ସ୍ମାର୍ଟ ସିଟି ରାଉରକେଲା। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା, ପୂର୍ବତନ ଏସ୍‌ପି ସଞ୍ଜୀବ ଆରୋରାଙ୍କ ସମେତ ପ୍ରାୟ ଶତାଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଖୋଲିଥିଲା ନକଲି ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ନକଲି ଆକାଉଣ୍ଟ ମାଧ୍ୟମରେ ସହରର ପ୍ରତିଷ୍ଠିତ ବ୍ୟକ୍ତି, ବ୍ୟବସାୟୀ ଓ ଶିଳ୍ପପତିମାନଙ୍କ ସହ ବନ୍ଧୁତା ସ୍ଥାପନ କରି ଲକ୍ଷ ଲକ୍ଷ ଟଙ୍କା ଠକୁଥିଲା। କେବଳ ଏତିକି ନୁହେଁ, ମୂଲ୍ୟବାନ ଉପହାର ମଧ୍ୟ ଠକି ନେଉଥିଲା। ଏପରିକି ଏସ୍‌ପି ଓ ଜିଲ୍ଲାପାଳଙ୍କ ନାଁରେ ମଧ୍ୟ ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲି ରାଜ୍ୟର ପ୍ରମୁଖ ସହରର ଧନୀକ ବର୍ଗର ଲୋକଙ୍କୁ ଟାର୍ଗେଟ କରୁଥିଲା। ଏବେ ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ନାଁରେ ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ମହଙ୍ଗା ପଡ଼ିଛି। ୧୮ ବର୍ଷ ପୂରିବାକୁ ଆଉ କିଛି ମାସ ବାକିଥିବା ଏହି ନାବାଳକ ଠକୁକୁ ଆଜି ରାଉରକେଲା ପୁଲିସ ବଲାଙ୍ଗୀରରୁ ଗିରଫ କରିଛି। ପୁଲିସ କିଶୋର ନ୍ୟାୟ ବୋର୍ଡରେ ହାଜର କରିବା ପରେ ନାବାଳକକୁ ବାଳ ସୁଧାର ଗୃହକୁ ପଠା ଯାଇଛି।

ଭୁବନେଶ୍ବର, ସମ୍ବଲପୁର ପରେ ଟାର୍ଗେଟ ଥିଲା ରାଉରକେଲା, ସ୍ବାସ୍ଥ୍ୟମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳଙ୍କ ନାଁରେ ବି ଖୋଲିଥିଲା ଫେସ୍‌ବୁକ୍‌ ଆକାଉଣ୍ଟ

କୌତୂହଳର ବିଷୟ ହେଲା ବର୍ଷକ ତଳେ ସମ୍ବଲପୁରରେ ଏପରି ଠକାମି କରି ଏହି ନାବାଳକ ଜଣକ ଧରାପଡ଼ିଥିଲା। ମାତ୍ର ନାବାଳକ ହୋଇଥିବାରୁ କିଛି ଦିନ ବାଳ ସୁଧାର ଗୃହ‌ରେ ରହି ସେ ଜାମିନରେ ମୁକୁଳି ଯାଇଥିଲା ଏବଂ ପୁଣିଥରେ ସମାନ ଉପ‌ାୟରେ ଠକିବା ଆରମ୍ଭ କରି ଦେଇଥିଲା। ନାବାଳକ ଜଣକ ଗତ ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଉରକେଲା ଏସ୍‌ପି ଶିବା ସୁବ୍ରମଣିଙ୍କ ନାଁରେ ‌ଫେସ୍‌ବୁକ୍‌ରେ ଏକ ନକଲି ଆକାଉଣ୍ଟ ଖୋଲିଥିଲା। ପରେ ତା ଜରିଆରେ ସହରର କିଛି ପ୍ରତିଷ୍ଠିତ ଲୋକଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲା। ଏ ସଂକ୍ରାନ୍ତରେ କିଛି ପ୍ରତିଷ୍ଠିତ ଲୋକ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ସେମାନଙ୍କ ଏତଲା ଆଧାରରେ ପୁଲିସ ଏସ୍‌ପିଙ୍କ ନାଁରେ ଖୋଲାଯାଇଥିବା ଫେସ୍‌ବୁକ୍‌ ଆକାଉଣ୍ଟକୁ ଯାଞ୍ଚ କରିଥିଲେ। ମାତ୍ର କିନ୍ତୁ ଏସ୍‌ପିଙ୍କର ସେମିତି କିଛି ଆକାଉଣ୍ଟ ନଥିବା ଜଣାପଡ଼ିବା ପରେ ଉଦିତନଗର ପୁଲିସ ନାବାଳକର ମୋବାଇଲ ନମ୍ବର ଟ୍ରାକିଂ କରି ତାକୁ ବଲାଙ୍ଗୀରରୁ ଧରିବାରେ ସକ୍ଷମ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୨୦୧୯ ଜୁନ୍‌ ୧୪ରେ ଏହି ନାବାଳକକୁ ସମ୍ବଲପୁର ପୁଲିସ ଧରି ବାଳ ସୁଧାର ଗୃହକୁ ପଠାଇଥିଲା। ସମ୍ବଲପୁରର ତତ୍କାଳୀନ ଦୁଇ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ସମର୍ଥ ବର୍ମା ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାରୁ ନାବାଳକ ଜଣକ ଦୁହିଁଙ୍କ ନାଁରେ ଫେସ୍‌ବୁକ୍‌ ନକଲି ଆକାଉଣ୍ଟ ‌ଖୋଲିବାକୁ ଭୟ କରିଥିଲା। ବର୍ତ୍ତମାନ ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ସୋସିଆଲ ମିଡିଆରେ ସକ୍ରିୟ ନଥିବାରୁ ଏହାର ଫାଇଦା ଉଠାଇବାକୁ ଯାଇ ଧରା ପଡ଼ିଥିଲା। ତେବେ ଗିରଫ ହେବା ପରେ ବାଳସୁଧାର ଗୃହରେ କିଛି ମାସ ରହିବା ପରେ ମଧ୍ୟ ବଦଳି ନଥିଲା। ଏହା ପୂର୍ବରୁ ନାବାଳକ ଜଣକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଫେକ୍‌ ଆଇଡି ଖୋଲିଥିଲା। ଜଣେ ଶିଳ୍ପପତିଙ୍କ କଳାଧନକୁ ଧଳା କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ଆକାଉଣ୍ଟରୁ ପ୍ରାୟ ୧୩ କୋଟି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆଣିଥିଲା। ସେହି ଟଙ୍କାରେ ସେ ଏକ ଅଡି କାର୍‌ କିଣି କରି ଭୁବନେଶ୍ବର ସହରରେ ବୁଲୁଥିଲା। ବାଲିଅନ୍ତା ପୁଲିସ ନାବାଳକକୁ ଧରିବା ପରେ ବାଳ ସୁଧାର ଗୃହକୁ ପଠାଇ ଦେଇଥଲା। ନାବାଳକର ଏହି ଅଦ୍ଭୁତ କାରନାମା ପଛରେ ଆଉ କେହି ଅଛନ୍ତି କି ନାହିଁ ପୁଲିସ ତାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର