ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସମୟ ୧୯ ନୁହେଁ, ୩୦ ମିନିଟ୍ ଥିଲା; ପ୍ରସାରିତ ହୋଇଥିଲା ମିଛ ଖବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଂଚଳ ପରିଦର୍ଶନ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି, ଓଟିଭି ପକ୍ଷରୁ ମିଛ ଖବର ପ୍ରସାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି ନଷ୍ଟ ପାଇଁ ହୋଇଥିବା ଉଦ୍ୟମ ଫସର ଫାଟିଯାଇଛି । ୩୧ ଅଗଷ୍ଟ ୨୦୨୦ରେ କୌଣସି ‘ଭିଭିଆଇପି ମୁଭମେଣ୍ଟ’ ହୋଇ ନଥିବା ଓଟିଭିର ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ନିୟମ ଅନୁସାରେ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଡାଣ ଭିଭିଆଇପି ବର୍ଗରେ ପରିଗଣିତ ହୋଇ ନଥାଏ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଗସ୍ତ ଏଥିରେ ସ୍ଥାନୀତ ହୋଇ ନଥିଲା ।

ପ୍ରସାରିତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା, ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ଥିଲା ୧୯ ମିନିଟ, ଯେଉଁଥିରେ ଉଭୟ ଉଡାଣ ଓ ଅବତରଣ ସମୟ ସାମିଲ ଥିଲା । ତେବେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଚିଠିରୁ ସ୍ପଷ୍ଟ ଜଣାପଡୁଥିଲା, ଯେ ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ଥିଲା ୧୯ ମିନିଟ । ଯେଉଁଥିରେ ଉଡାଣ ଏବଂ ଅବତରଣ ସମୟ ସାମିଲ ନ ଥିଲା ।

ସ୍ପଷ୍ଟୀକରଣରେ କୁହାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ୩୦ ମିନିଟର ଥିଲା । ଯେଉଁଥିରୁ ୧୯ ମିନିଟ ଏୟାର ଟାଇମ୍ ଥିଲା । ଓଟିଭି ତାର ରିପୋର୍ଟରେ ଦର୍ଶାଇଥିଲା, ୧୯ ମିନିଟ ଭିତରେ ବନ୍ୟାଂଚଳ ଗସ୍ତ କରି ଫେରିବା ସମ୍ଭବ ନୁହେଁ । ସ୍ପଷ୍ଟୀକରଣରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପଟର ଅତ୍ୟାଧୁନିକ ଏବଂ ଏହା ଦୁଇଟି ଇଂଜିନ ବିଶିଷ୍ଟ । ଭୁବନେଶ୍ୱରରୁ ସର୍ବାଧିକ ପ୍ରଭାବିତ ଅଂଚଳରେ ପହଂଚିବାକୁ ଏଭଳି ହେଲିକପଟରକୁ ୫ ରୁ ୬ ମିନିଟ ସମୟ ଲାଗିଥାଏ । ବନ୍ୟାଂଚଳ ଗସ୍ତ କରି ଆସିବା ପରେ ଫଟୋ ଏବଂ ଭିଡିଓକୁ ସେହି ସମାନ ଦିନ ଗଣମାଧ୍ୟମକୁ ଦିଆଯାଇଥିଲା ।

ଓଟିଭି ତାର ରିପୋର୍ଟରେ ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟର ୧୦ଟା ୧୨ ସମୟରେ ଛାଡିଥିଲା ଆଉ ୧୦ଟା ୩୧ ମିନିଟ ସମୟରେ ମୂଳ ସ୍ଥାନରେ ପହଂଚି ଯାଇଥିଲା । ସ୍ପଷ୍ଟୀକରଣରେ କୁହାଯାଇଛି, ବିନା ଅନୁସନ୍ଧାନରେ ଏଭଳି ତଥ୍ୟକୁ ପରିବେଷଣ କରାଯାଇଛି । ହେଲିକପ୍ଟରର ଏୟାର ଟାଇମ ଅପରାହ୍ନ ୩ଟା୪୨ରୁ ଅପରାହ୍ନ ୪ଟା ୧ ପର୍ଯ୍ୟନ୍ତ ଥିଲା । ମୋଟ ଗସ୍ତ ସମୟ ଥିଲା ୩୦ ମିନିଟ । ଓଟିଭି ପକ୍ଷରୁ ଯେଉଁ ଖବର ପ୍ରସାରଣ କରାଯାଇଥିଲା ତାହା ମିଛ ଓ ଭୁଲ ଖବର ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି । ଏହା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ ରହିଛି । ତେବେ ଖବର ପ୍ରସାରଣ କରିଥିବା ସଂସ୍ଥା ଓଟିଭିର ଏହା ଉପରେ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର