ପୁଲିସ ସହ ଗୁଳି ବିନିମୟ କରି ଦୁର୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଏକ ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟ କରି ଜଣେ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଦାନ୍ତେଓ୍ଵାଡ଼ାର ‘ଡିଆର୍‌ଜି’ ଓ ‘ଏସ୍‌ଟିଏଫ୍‌’ ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂଙ୍ଗ୍‌ ଅପରେସନ୍‌ ଚଳାଉଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ଆଦି ଉଦ୍ଧାର କରିଥିଲେ। ଏହି ସମୟ ଚିକପାଲ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍‌ ପକାଇଥିବା ସୂଚନା ପାଇବା ପରେ ଯବାନମାନେ ଜଙ୍ଗଲର ସେ ଅଞ୍ଚଳକୁ ଘେରାଉ କରିବାରୁ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରତ୍ୟୁତ୍ତରରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ପରେ ଗୁଳିବିନିମୟ ସ୍ଥାନରୁ ପୁଲିସ ଜଣେ ମୃତ ମାଓବାଦୀଙ୍କୁ ଉଦ୍ଧାର କରିଥଲା। ଏହି ନିହତ ମାଓବାଦୀଜଣକ ମାଓ ନେତା ତଥା ଏରିଆ କମାଣ୍ଡର୍‌ ହିଡ଼ମା ମୁଚାକିର ବୋଲି ପୁଲିସ ଅନୁମାନ କରୁଛି। ହିଡ଼ମା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଏହା ବ୍ୟତିରେକେ, ଘଟଣାସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ ଓ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛି।
ଏବେ ମଧ୍ୟ ସେ ଜଙ୍ଗଲରେ ତଲାସ ଅଭିଯାନ ଜାରି ରହିଛି।

ସମ୍ବନ୍ଧିତ ଖବର