ଓରେରା, ଆଇଜିଆରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

ଆପର୍ଟମେଣ୍ଟ ମାଲିକାନା ସଂଶୋଧିତ ନିୟମାବଳୀର ବୈଧତାକୁ ‌ଚାଲେଞ୍ଜ

କଟକ: ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚାଲେଞ୍ଜ କରି ଦାୟର ମାମଲାରେ ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟାରୀ ଅଥରିଟି(ଓରେରା) ଓ ଇନସ୍ପେକ୍ଟର ଅଫ ଜେନେରାଲ ଅଫ୍ ରେଜିଷ୍ଟ୍ରେସନ(ଆଇଜିଆର)ଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୫ ସୁଦ୍ଧା ମାମଲାରେ ଜବାବ ଦାଖଲ କରାଯିବ। ମେ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରିଅଲ ଇଷ୍ଟେଟ (ରେଗୁଲେସନ୍ ଆଣ୍ଡ୍ ଡେଭେଲପମେଣ୍ଟ) ଆଇନ (ରେରା), ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ ବିରୁଦ୍ଧାଚରଣ କରୁଥିବାରୁ ଏହି ସଂଶୋଧିତ ନିୟମାବଳୀକୁ କାହିଁକି ରଦ୍ଦ କରା ନ ଯିବ ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ଏହାପରେ ୨୦୧୬ରେ ରିଅଲ ଇଷ୍ଟେଟ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା। ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ। ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ। ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ, ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ।

ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର। ଆପର୍ଟମେଣ୍ଟର ଅତି କମ୍‌ରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା। ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥ ବିରୋଧୀ ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନ ଦର୍ଶାଇଛନ୍ତି। ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ। ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ଗଠନ ସଂପର୍କିତ ରେରା ଆଇନକୁ କଡାକଡି କାର୍ଯ୍ୟକାରୀ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର