କମୁଛି ସନ୍ତାନ ମୋହ, ପୁଅ ଜନ୍ମକୁ ଅଗ୍ରାଧିକାର: ୭୨% ବିବାହିତ ମହିଳା, ୭୦ % ପୁରୁଷ ଚାହାନ୍ତି ନାହିଁ ସନ୍ତାନ

୭୮% ମହିଳା, ୭୨% ପୁରୁଷଙ୍କ ପୁଅକୁ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ମହିଳାଙ୍କ ସନ୍ତାନ ଜନ୍ମ ହାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ୧୯୯୨-୯୩ (ଏନଏଫଏଚଏସ-୧)ରେ ମହିଳାଙ୍କ ପ୍ରଜନନ ହାର ୨.୯% ଥିବା ବେଳେ ୨୦୧୯-୨୧ (ଏନଏଫଏଚଏସ-୫)ରେ ଏହା ୧.୮%ରେ ପହଞ୍ଚିଛି। ଏହି ସଂଖ୍ୟା ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ଅର୍ଥାତ ବର୍ଷକୁ ବର୍ଷ ଶିଶୁ ଜନ୍ମ ହ୍ରାସ ପାଉଛି। ପରିବାର ନିୟୋଜନ ସହିତ ପୁତ୍ର ସନ୍ତାନକୁ ମାତ୍ରାଧିକ ଗୁରୁତ୍ବ ଏହାର ଏକ କାରଣ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ଏହାବାଦ ମଧ୍ୟରେ ବର୍ତ୍ତମାନର ନୂତନ ଟ୍ରେଣ୍ଡ ଅନୁଯାୟୀ, ୭୨% ବିବାହିତା ମହିଳା ଏବଂ ୧୫ରୁ ୪୯ ବର୍ଷୀୟ ୭୦% ପୁରୁଷ ସନ୍ତାନ ହିଁ ଚାହୁନାହାନ୍ତି। ନିଃସନ୍ତାନ ହୋଇ ସ୍ବାଧୀନ ଜୀବନ ବଞ୍ଚିବା ପାଇଁ ଆଗ୍ରହ କରନ୍ତି। ୮୯% ମହିଳା, ୮୮% ପୁରୁଷ ଦୁଇରୁ କମ ସନ୍ତାନ ଚାହୁଛନ୍ତି। ୫୫% ମହିଳା, ୫୭% ପୁରୁଷ ଦୁଇଟି ସନ୍ତାନର ଜନ୍ମ ବ୍ୟବଧାନ ଅନ୍ୟୁନ ୨ ବର୍ଷ ହେଉ ବୋଲି ଚାହୁଛନ୍ତି। ଗୋଟିଏ ପଟରେ ଦମ୍ପତିମାନଙ୍କ ମଧ୍ୟରେ ସନ୍ତାନ ପ୍ରତି ମୋହ ତୁଟୁଛି କିନ୍ତୁ ଅନ୍ୟ ପଟରେ ପୁତ୍ର ସନ୍ତାନଙ୍କ ପ୍ରତି ଦୁର୍ବଳତା ବଳବତ୍ତର ରହୁଛି। ବିଭିନ୍ନ କ୍ଷେତ୍ରରେ ଝିଅମାନଙ୍କ ସଫଳତା, ଅଭିଭାବକଙ୍କ ପ୍ରତି ସେବା ଯତ୍ନ ସତ୍ତ୍ବେ ୭୮% ମହିଳା, ୭୨% ପୁରୁଷ ଅନ୍ୟୁନ ଗୋଟିଏ ପୁଅ ନିଶ୍ଚିତ ହେଉ ବୋଲି ଚାହୁଛନ୍ତି। ୧୩% ମହିଳା, ୧୨% ପୁରୁଷ ଝିଅ ବଦଳରେ ପୁଅ ଜନ୍ମ ଚାହାନ୍ତି ବୋଲି କହନ୍ତି। ଗୋଟିଏ କିମ୍ବା ଦୁଇଟି ପୁଅ ଥିଲେ ୯୫% ମହିଳା ଆଉ ସନ୍ତାନ ଚାହାନ୍ତି ନାହିଁ। କିନ୍ତୁ ୭୧% ଦୁଇ ଝିଅର ମା’ ଆଉ ସନ୍ତାନ ଚାହାନ୍ତି। ଉଭୟ ପୁରୁଷ ଏବଂ ମହିଳାଙ୍କ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି। କିନ୍ତୁ ଆଜିବି ମାତ୍ର ୦.୩ % ପୁରୁଷ ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ କରୁଛନ୍ତି।

Representative Image of an infant: Courtesy News Mint

ମାତ୍ରାଧିକ ଫୋନ୍‌ ବ୍ୟବହାର ଯୋଗୁଁ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଛି: ସ୍ବାସ୍ଥ୍ୟ ବିଶେଷଜ୍ଞ
ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସୁଜାତା କରଙ୍କ ଅନୁସାରେ, ପୁରୁଷଙ୍କ ପ୍ରଜନନ କ୍ଷମତା ହାର ହ୍ରାସ ପାଇବାରେ ଲାଗିଛି। ଏହାର ବିଭିନ୍ନ କାରଣ ମଧ୍ୟରେ, ମୋବାଇଲ, ଧୂମପାନ, ନିଶାଦ୍ରବ୍ୟର ମାତ୍ରାଧିକ ବ୍ୟବହାର, ମାନସିକ ଚାପ। ଏଥିସହିତ ପୁରୁଷମାନେ ଏଭଳି କିଛି ଖାଦ୍ୟ ଖାଉଛନ୍ତି ଯାହା ସେମାନଙ୍କ ପ୍ରଜନନ କ୍ଷମତାକୁ ହ୍ରାସ କରୁଛି। କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ଏଭଳି ସ୍ଥିତି ହେଉଛି। ମହିଳାଙ୍କ ପ୍ରଜନନ ହାର ହ୍ରାସ ପାଇବାର କାରଣ ହେଲା ଜୀବନ ଶୈଳୀ, ଜଳବାୟୁ ପରିବର୍ତ୍ତନ। ମିସ୍‌କ୍ୟାରେଜ୍‌ ବା ଅସୁରକ୍ଷିତ ଗର୍ଭପାତ ବଡ଼ ସମସ୍ୟା ହେବାରେ ଲାଗିଛି। ଗର୍ଭପାତ ବଟିକା ବିଭିନ୍ନ ମେଡିକାଲ ଷ୍ଟୋରରେ ଉପଲବ୍ଧ ହେଉଛି। ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଲୋକେ ଏହା ଗ୍ରହଣ କରୁଛନ୍ତି। ଏଥିଯୋଗୁଁ ଅନେକ ସମୟରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି। ଯାହା ଉଭୟ ମହିଳା, ପୁରୁଷଙ୍କ ପାଇଁ ବିପଦର କାରଣ ହେଉଛି। ଗର୍ଭପାତ ବଟିକା ବ୍ୟବହାର ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନୀତି ଗ୍ରହଣ କରିବା ଉଚିତ। ରାଜ୍ୟରେ ପ୍ରାୟ ୫୧% ମହିଳା ବିନା ପ୍ଲାନରେ ଗର୍ଭପାତ କରାଉଛନ୍ତି। ଏଥିମଧ୍ୟରୁ ୮୪ % ଔଷଧ ଜରିଆରେ ଗର୍ଭପାତ କରାନ୍ତି। ଆଜିବି ୫୬% ମହିଳା ଘରେ ଗର୍ଭପାତ କରାଉଛନ୍ତି। ଏଥିମଧ୍ୟରେ ଅନେକ ସ୍କୁଲ ଛାତ୍ରୀ ଗର୍ଭନିରୋଧ ବଟିକା ବ୍ୟବହାର କରୁଛନ୍ତି। ଯାହା ବିପଜ୍ଜନକ ହେଉଛି। ୧୫ରୁ ୧୯ ବର୍ଷୀୟା ୮ପ୍ରତିଶତ କିଶୋରୀ ପ୍ରଥମ ସନ୍ତାନର ମା’ ହେଉଥିବା ସର୍ଭେରୁ ମଧ୍ୟ ଜଣାପଡ଼ିଛି। ଏଥିମଧ୍ୟରେ ସ୍କୁଲ ଯାଉନଥିବା ୨୪% ଛାତ୍ରୀ ଅଛନ୍ତି। ଅସୁରକ୍ଷିତ ଗର୍ଭପାତରୁ ରକ୍ଷା ପାଇଁ ୨୪ରୁ ୩୦ ବର୍ଷ ମଧ୍ୟରେ ଝିଅମାନେ ଗର୍ଭଧାରଣ କରିବାକୁ ଡାକ୍ତର କର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର