ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା; ହକି ଷ୍ଟିକ ଧରିଲେ ନେତା ଓ ପ୍ରଶାସନିକ ଅଧିକାରୀ

ଜୟପୁର: ବିଶ୍ବକପ ହକି ଆଉ ଅଳ୍ପ ଦିନ ମଧ୍ୟରେ ଓଡିଶାର ଭୁବନେଶ୍ବର ଓ ରାଉରକେଲା ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ବିଶ୍ବକପ ହକି କପ ଜିଲ୍ଲା ପରିଭ୍ରମଣରେ ବାହାରିଛି। ଆଜି ମାଲାକାନଗିରୀରୁ ବୈପାରୀଗୁଡା ଦେଇ ଜୟପୁରରେ ସଂଧ୍ୟା ୬ଟା ବେଳେ ପହଚିଂଥିଲା। ହକି କପକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଢ଼େ ଘଣ୍ଟାଏ ବିଳମ୍ବରେ ପହଚିଂଥିବା ବେଳେ ହକି ପ୍ରେମୀ ମାନେ ନିର୍ଦ୍ଦାରିତ ସମୟ ଠାରୁ କପକୁ ଅପେକ୍ଷା କରିଥିଲେ। ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି‌  ସରୋଜ ଦାଶ, ଉପସଭାପତି ଗିରିଧର ଖରା, ରବୀନ୍ଦ୍ର କୁମାର ପାତ୍ର, ସହଦେବ ପଟ୍ଟନାୟକ, ସତୀଶ ସାହୁ, ପ୍ରମୁଖ ହକି ବାଡ଼ି ଧରି ଶୋଭାଯାତ୍ରା କରି ରାଜନହର ଛକରେ ପହଚିଂଥିଲେ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ନେତା ହିମାଂଶୁ ମହାପାତ୍ର ଉଭୟ ହକି ଷ୍ଟିକ ଧରି ଖେଳୁଥିବା ଦେଖିବାକୁ ମିଳିଥିଲା। ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ରିତୁ ସିଂ, ଏସଡିପିଆରଓ ଯଶୋଦା ଗାଧବା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, କାନସିଲର ଯଶବିନ୍ଦ୍ର ସିଂ, ବାବୁ ବିଷୋଇଙ୍କ ସହ ଅନ୍ୟ କାଉନସିଲର ମାନେ ହକି ଷ୍ଟିକ ଧରି ଖେଳିବା ସହ ହକି ଖେଳାଳୀ ଓ କପ ସହ ଫଟୋ ଉଠାଇଥିଲେ।

ଜିଲ୍ଲାସ୍ତରୀୟ ହକି କମିଟି ସଭ୍ୟ ସୁବାସ ରାଉତ ଏହି ଅବସରରେ କିଛି ହକିକ୍ରୀଡାବିତଙ୍କୁ ହକି ଷ୍ଟିକ, ଓ ବଲ ନିଜ ଆଡରୁ ଯୋଗାଇ ଦେଇଥିଲେ। ଯେଉଁ କ୍ରୀଡାବିତ୍ ମାନେ ହକି ଖେଳିବାକୁ ଇଛୁକ ସେମାନଙ୍କୁ ସେ କ୍ରୀଡା ଉପକରଣ ସବୁ ଯୋଗାଇ ଦେବା ସହ ଏହାକୁ ପ୍ରତ୍ସାହିତ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଜୟପୁର ସହରର ବିଭିନ୍ନ ବର୍ଗର ଶ୍ରେ‌ଷ୍ଠ ଦୌଡକୁଦ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ହକି ବିଶ୍ବକପକୁ ଢ଼େମସା ନୃତ୍ୟ ଓ ହୁଳି ହୁଳି ଆଦିରେ ଭବ୍ୟ ସ୍ବାଗତ କରାଯାଇଥିଲା। କପକୁ ବିଧାୟକ ଶ୍ରୀ ବାହିନୀପତି ଗ୍ରହଣ କରିବା ପରେ ଶୋଭାଯାତ୍ରା କରି ରାଜନହର ପରିସରକୁ ନିଆଯାଇଥିଲା। ସେଠାରେ ସ୍ବଳ୍ପ ସମୟ ରଖାଯାଇ ପୁଣି ବାହାରକୁ ମଂଚ ଉପରକୁ ଅଣାଯାଇଥିଲା। ମଂଚ ଉପରେ କପ ସହ ଲୋକେ ସେଲଫି ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଦଳ, ଏନସିସି କ୍ୟାଡେଟ ଓ କୋରାପୁଟ ଜିଲ୍ଲା ହକି ମହିଳାଦଳର କ୍ରୀଡାବିତ୍ ଆଦି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର