ବାଣ ବିସ୍ଫୋରଣରେ ଆଖି ବୁଜିଲେ ଗୃହକର୍ତ୍ତା, ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା

ଗ୍ୟାସ୍ ସିଲିଣ୍ଡର୍ ଦୁର୍ଘଟଣା ରୂପ ଦେବାକୁ ମସୁଧା

ଚାନ୍ଦବାଲି: ଚାନ୍ଦବାଲି ଥାନା ମତୋ ପଞ୍ଚାୟତ ଦକ୍ଷିଣସାହି ଗାଁରେ ରବିବାର ବାଣ ବିସ୍ଫୋରଣରେ ଗୁରୁତର ଭାବେ ଜଳି ଯାଇଥିବା ବିଷ୍ଣୁମୋହନ ସାହୁ (୫୦)ଙ୍କର ସୋମବାର ଦିନ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ କେଉଁ ପରିସ୍ଥିତିରେ ବିଷ୍ଣୁମୋହନଙ୍କ ଘରେ ଭୟାନକ ବିସ୍ଫୋରଣ ଘଟିଲା, ତାର କାରଣ ଅନୁଧ୍ୟାନ ଲାଗି ଚାନ୍ଦବାଲି ଏସ୍‌ଡିପିଓ ଦେବୀ ଶଙ୍କର ପ୍ରତାପ, ଥାନା ଅଧିକାରୀ କରୁଣାକର ରାଉତ, ଏସ୍ଆଇ ସୌମ୍ୟା ରାୟଙ୍କ ସମେତ ସାଇଣ୍ଟିଫିକ୍‌ ଅଫିସର ସଙ୍ଗୀତା ହେମ୍ବ୍ରମ୍‌ଙ୍କ ନେତୃତ୍ୱରେ ୪ ଜଣିଆ ଫରେନ୍‌ସିକ୍ ଟିମ୍‌ ସୋମବାର ଦିନ ବିସ୍ଫୋରଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଗାଁର କିଛି ଲୋକ ବାଣ ବିସ୍ଫୋରଣ କଥା କହୁଥିବାବେଳେ ଆଉ କିଛି ଲୋକ ଗ୍ୟାସ୍‌ ଟାଙ୍କିରୁ ବିସ୍ଫୋରଣ ଘଟିଥିବା କହିଛନ୍ତି। ତେବେ ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡ଼ିବ ବୋଲି ସାଇଣ୍ଟିଫିକ୍‌ ଅଫିସର ସଙ୍ଗୀତା ହେମ୍ବ୍ରମ୍‌ କହିଛନ୍ତି।

ଅନ୍ୟପକ୍ଷ‌ରେ ପାଖ ଘରଗୁଡ଼ିକ ଉପରେ ବିସ୍ଫୋରଣର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। କାହାର ଝରକା କାଚ ଭାଙ୍ଗିଛି ତ କାହାର ଘରକାନ୍ଥ ଫାଟିଯାଇଛି। ଏହି ଘଟଣାରେ ପ୍ରଶାସନ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ତଦନ୍ତକୁ ବାଟବଣା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୁଲିସ ଓ ପ୍ରଶାସନର ନଜର ଆଢ଼ୁଆଳରେ ଏମିତି ଆହୁରି ୮ରୁ ୧୦ଟି ବେଆଇନ ବାଣ କାରଖାନା ଚାଲୁଥିବା ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ଚାନ୍ଦବାଲି ଥାନା ଦକ୍ଷିଣସାହି ଗ୍ରାମରେ ରବିବାର ଦିନ ପ୍ରାୟ ୨ଟା ସମୟରେ ବାଣ ବିସ୍ଫୋରଣ ଘଟି ବିଷ୍ଣୁମୋହନ ସାହୁଙ୍କ ଦୁଇ ବଖରା କୋଠା ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଯାଇଥିଲା। ବିସ୍ଫୋରଣ ଏତେ ଜୋର୍‌ରେ ହୋଇଥିଲା ଯେ, ଆଖପାଖ ଅଞ୍ଚଳ ଥରିଉଠିବା ସହ ବିଷ୍ଣୁମୋହନଙ୍କ ଘରେ ଥିବା ବାଣଗୁଡ଼ିକ ଫୁଟିବାରେ ଲାଗିଥିଲା। ଚାନ୍ଦବାଲି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ତହସିଲଦାର ସୁଶାନ୍ତ ସୂତାର ଓ ଥାନା ଅଧିକାରୀ କରୁଣାକର ରାଉତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତ ବିଷ୍ଣୁମୋହନ ଜଣେ ବାଣ ବ୍ୟବସାୟୀ ଓ ବାଣ କାରିଗର ଥିଲେ। ଏହା ପୂର୍ବରୁ ୨୦୧୯ ଓ ୨୦୨୧ ମସିହାରେ ସେ ଦୁଇଥର ବେଆଇନ ବାଣ କାରବାର ମାମଲାରେ ଗିରଫ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହା ସତ୍ତ୍ବେ ଚୋରା ବାଣ କାରବାର ଉପରେ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲାଗିନଥିଲା। ଅନ୍ୟପଟେ ଶ୍ରୀ ସାହୁଙ୍କ ପତ୍ନୀ ମଞ୍ଜୁଲତା ଏ ସଂକ୍ରାନ୍ତରେ ଚାନ୍ଦବାଲି ଥାନାରେ ଏତଲା ଦେବା ପରେ କେସ୍‌ ନମ୍ବର ୩୮୪/୨୨ରେ ମାମଲା ରୁଜୁ କରିଛି ପୁଲିସ।

ସମ୍ବନ୍ଧିତ ଖବର