ଭିସୁଟ୍‌ ରାଗିଂ ଘଟଣା: ୩ ଛାତ୍ରଙ୍କୁ ବର୍ଷେ ବହିଷ୍କାର

ବୁର୍ଲା : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ୍) କର୍ତ୍ତୃପକ୍ଷ ରାଗିଂ ଘଟଣାରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘଟଣାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ୩ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସହିତ ଛାତ୍ରାବାସରୁ ବହିଷ୍କାର କରାଯାଇଥିବା ବେଳେ ଶୃଙ୍ଖଳା ଭଂଗ କରିଥିବା ଅନ୍ୟ ୩ ଜଣଙ୍କୁ ଜରିମାନା କରାଯାଇଛି।

ଗତ ୨୩ ତାରିଖ ବିଳମ୍ବିତ ରାତିରେ ଭୁସିଟ୍ ରାଗିଂ ଘଟଣାକୁ ସାମ୍‌ନାକୁ ଆସିବା ପରେ ଭିସୁଟ୍‌ର କୁଳପତି ୨୪ ତାରିଖ ଦିନ ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏହି ଦୁଇ କମିଟିର ତଦନ୍ତ ରିପୋର୍ଟ ଆଜି ଆସିବା ପରେ ଭିସୁଟ୍‌ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ରାଗିଂ ଘଟଣାରେ ସଂପୃକ୍ତ ଥିବା ୩ ଜଣ ଶେଷ ବର୍ଷର ଛାତ୍ରଙ୍କୁ ଏକ ବର୍ଷ ପାଇଁ ଉଭୟ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଓ ଛାତ୍ରାବାସରୁ ବହିଷ୍କାର କରାଯାଇଛି। ତ‌େବେ, ଏହା ଆସନ୍ତା ଜାନୁଆରି ୧ ତାରିଖରୁ କାର୍ଯ୍ୟକ୍ଷମ ହେବ। ଶେଷ ବର୍ଷର ଛାତ୍ରମାନଙ୍କ ୭ ସପ୍ତମ ସେମିଷ୍ଟର ପାଠ୍ୟକ୍ରମ ଶେଷ ହୋଇଯାଇଛି ଏବଂ ଏହାର ପରୀକ୍ଷା ଆସନ୍ତା ଡିସେମ୍ବର ମାସରେ ହେବାର ସ୍ଥିର ହୋଇଛି। ତେଣୁ, ଏହି ସେମିଷ୍ଟର ପରୀକ୍ଷା ଶେଷ ହେବା ପରେ ଏହି ୩ ବରିଷ୍ଠ ଛାତ୍ର ଆଗାମୀ ୧ ବର୍ଷ ପାଇଁ ବିଶ୍ଵବିଦ୍ୟାଳୟ ପରିସରରୁ ବହିଷ୍କାର କରାଯାଇଛି ବୋଲି ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ସଞ୍ଜୟ ପାତ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଫଳରେ ବହିଷ୍କୃତ ଛାତ୍ରମାନେ ଅଷ୍ଟମ ସେମିଷ୍ଟର ପାଠପଢ଼ାରୁ ଏକ ବର୍ଷ ପାଇଁ ବଂଚିତ ହେବେ।

ଅପରପକ୍ଷରେ ଘଟଣା ସମୟରେ ୪ ଜଣ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରାବାସ ପରିସରରେ ବୁଲାବୁଲି କରୁଥିଲେ। ତେଣୁ, ଏହା ଶୃଙ୍ଖଳା କମିଟି ନିୟମର ଅବମାନନା କାରଣ ଦର୍ଶାଇ ଉକ୍ତ ୪ ଛାତ୍ରଙ୍କୁ ୫ ହଜାର ଟଙ୍କାର ଆର୍ଥିକ ଜରିମାନା କରାଯାଇଥିବା ପ୍ରଫେସର ପାତ୍ର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୀଡ଼ିତ ଛାତ୍ର ଭିସୁଟ୍‌ର ଇଲେକ୍ଟ୍ରାନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ୍ ବିଭାଗର ଦ୍ଵିତୀୟ ବର୍ଷ ର ଛାତ୍ର ଏବଂ ପୁଲହ ଛାତ୍ରାବାସରେ ରହନ୍ତି। ଗତ ୨୩ ତାରିଖ ଦିନ ସେ ଏକ ଷ୍ଟାର୍ଟ ଅପ୍ ପ୍ରୋଗ୍ରାମର କାର୍ଯ୍ୟ କରୁଥିଲେ। ବିଳମ୍ବିତ ରାତିରେ ସେ ରିଫ୍ରେସମେଣ୍ଟ ପାଇଁ ଏକ ଚିପ୍ସ ପ୍ୟାକେଟ ଆଣିବା ପାଇଁ ଉକ୍ତ ଛାତ୍ରାବାସର ତଳ ମହଲାରେ ଥିବା ଏକ କ୍ୟାଣ୍ଟିନକୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଏହି କ୍ୟାଣ୍ଟିନ ସେତେବେଳେ କିନ୍ତୁ ବନ୍ଦ ଥିବାରୁ ସେ ନିଜ ରୁମ୍‌କୁ ଫେରୁଥିବା ବେଳେ କିଛି ବରିଷ୍ଠ ଛାତ୍ର ତାଙ୍କୁ ଅଟକାଇ ରାଗିଂ କରିଥିଲେ। ଏପରିକି ମାଡ଼ପିଟ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତ ଛାତ୍ର ଜଣକ ନିଃଶୁଳ୍କ ଫୋନ୍ ନମ୍ୱର୍ ୧୧୨ରେ ଫୋନ୍ କରି ନିଜ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ଜଣାଇଥିଲେ।

ସମ୍ବନ୍ଧିତ ଖବର