ଭୁବନେଶ୍ୱର : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି । ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ନିମ୍ନ ଅଦାଲତ ତାଙ୍କ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଉପାଧ୍ୟାୟଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ପତ୍ନି ଏହି ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ ଗତ ୧୪ ତାରିଖ ଦିନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗିରଫ ପରେ ପଚରା ଉଚରା ପାଇଁ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ୫ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତେବେ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା।
ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟ କେତନଙ୍କୁ ଧରିବାର ପ୍ରାୟ ୧୦ ଦିନ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।