ରାଜ୍ୟରେ ମାଡ଼ି ଚାଲିଛି ବ୍ରାଉନସୁଗାରର ଚେର : ବଦଳୁଛି‌ ଠିକଣା, ମୂଳପୋଛ ହେଉନି

୨୧ ବର୍ଷ ତଳେ କଟକରୁ ଜବତ ହୋଇଥିଲା ୯.୩ କେଜି ବ୍ରାଉନସୁଗାର
ବାଲେଶ୍ବରରୁ ଧରା ପଡ଼ିଥିଲା କୁଖ୍ୟାତ ନିଶାବେପାରୀ ଆଜାଦ୍

ଭୁବନେଶ୍ବର, (ଶୁଭକାନ୍ତ ପଢ଼ିହାରୀ): ରାଜ୍ୟରେ ମାଡ଼ି ଚାଲିଛି ବ୍ରାଉନସୁଗାରର ଚେର। ନବେ ଦଶକରୁ ୨୦୨୦ ପର୍ଯ୍ୟନ୍ତ ବ୍ରାଉନସୁଗାର କାରବାରର ଲମ୍ବା କାହାଣୀ। ବାଲେଶ୍ବର ପରେ ରାଜଧାନୀ ଭୁବନେଶ୍ବର ପାଲଟି ଯାଇଛି ବ୍ରାଉନସୁଗାର ହଟସ୍ପଟ୍‌। ତେବେ ଭୁବନେଶ୍ୱର ପୂର୍ବରୁ ଏକଦା କଟକ ଥିଲା ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ଚଳିତ ମାସ ଜୁନ୍ ୧୯ ତାରିଖରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ରସୁଲଗଡ଼ ନିକଟରୁ ସାଢ଼େ ୪ କେଜି ବ୍ରାଉନସୁଗାର ଧରିଛି। ଜବତ ସାଢ଼େ ଚାରି କେଜି ବ୍ରାଉନ୍‌ସୁଗାର ଓଡ଼ିଶା ଇତିହାସ ପ୍ରଥମ ଘଟଣା ବୋଲି ଡିଜି ଅଭୟ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଥିଲେ। କିନ୍ତୁ ୨୧ ବର୍ଷ ତଳେ ୧୯୯୯ ମସିହାରେ କଟକ ଲାଲବାଗ୍ ଥାନା କାଳିଗଳି ମହିଦାସ ବଜାରରେ ବ୍ରାଉନସୁଗାରର ଗୋଦାମ ଘର କୁହାଯାଉଥିବା ହେମନ୍ତ ସିଂ ଘରୁ ପୁଲିସ ୯.୩ କେଜି ବ୍ରାଉନସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୯ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା। ସେତବେଳେ ଏହି ଘଟଣା ସାରା ଦେଶର ପୁଲିସ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ସବୁଠୁ ବଡ଼ ବ୍ରାଉନ୍‌ସୁଗାର ଜବତ ବୋଲି ଜଣାପଡ଼ିଛି। ସେହିପରି ନବେ ଦଶକରେ ଅନ୍ୟତମ ନିଶା ମାଫିଆ ଆଜାଦ୍ ପରଭେଜ୍ ମଧ୍ୟ ବାଲେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ଧରାପଡ଼ିଥିଲା। ପରଭେଜ୍‌ର ଅଣ୍ଡରଵାର୍ଲଡ ଲିଙ୍କ୍ ରହିଥିବା ପଦାକୁ ଆସିଥିଲା।

୧୯୯୯ରୁ ୨୦୨୦। ୨୧ ବର୍ଷର ଲମ୍ବା ସମୟ ପରେ ରସୁଲଗଡ଼ରୁ ସାଢ଼େ ୪ କେଜି ବ୍ରାଉନସୁଗାର ଜବତ ଘଟଣା ପୁଣି ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ଏହି ଲମ୍ବା ସମୟ ଭିତରେ ବ୍ରାଉନସୁଗାର କାରବାର ଉପରେ ରୋକ୍ ଲାଗି ପାରିନାହିଁ, ବରଂ ବଢ଼ି ବଢ଼ି ଚାଲିଛି। ନୂଆ ନୂଆ ନିଶା ବେପାର ହଟସ୍ପଟ୍‌, ବାଲେଶ୍ବରରୁ ଆରମ୍ଭ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳକୁ କବଜା କରି ସାରିଲାଣି ବ୍ରାଉନସୁଗାର। ଏତେ ଲମ୍ବା ସମୟ ପରେ ବି କାହିଁକି ବନ୍ଦ ହୋଇପାରୁନି ବ୍ରାଉନସୁଗାର କାରବାର? କେଉଁଠି ରହୁଛି ଦୋଷ ଦୁର୍ବଳତା? କେମିତି ରୋକାଯାଇ ପାରିବ? ପୁଲିସ୍‌ କିଙ୍ଗପିନ୍ ପାଖରେ ପହଞ୍ଚି ନ ପାରିବା ନା କମ୍ ଦଣ୍ଡହାର? ବ୍ରାଉନସୁଗାର କାରବାର ବନ୍ଦ ନ ହେବା ପଛରେ ଏଭଳି ଏକାଧିକ ଦିଗ ସାମ୍ନାକୁ ଆସିଛି।

୧୯୯୯ ମେ’ ୨୮ ତାରିଖ। ବ୍ରାଉନସୁଗାର କାରବାର ପର୍ଦ୍ଦାଫାସ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସେତେବେଳେ କଟକରେ ପ୍ରୋବେସନରେ ଥିବା ନୂଆ ଆଇପିଏସ୍ ଅଫିସର ତଥା ଅତିରିକ୍ତ ଏସପି ଅରୁଣ ବୋଥ୍ରା। କିଛି ମାସ ଧରି ରାକେଟ ବିଷୟରେ ତଥ୍ୟ ସଂଗ୍ରହ କରିବା ପରେ ଲାଲବାଗ ଥାନା ଅନ୍ତର୍ଗତ କାଳିଗଳି ମହିଦାସ ବଜାରରେ ଥିବା ନିଶା ମାଫିଆ ହେମନ୍ତ ସିଂ ଓରଫ୍ ଡୁଙ୍ଗୁରି ଘରେ ଚଢ଼ଉ କରିଥିଲେ। ହେମନ୍ତ ଫେରାର୍ ହୋଇଯାଇଥିଲା। କିନ୍ତୁ ପୁଲିସ୍‌ ହାତରେ ଲାଗିଥିଲା ବିପୁଳ ପରିମାଣର ବ୍ରାଉନସୁଗାର। ହେମନ୍ତ ଘରୁ ପୁଲିସ ୯କେଜି ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା, ଯାହାର ମୂଲ୍ୟ ୯ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା। ଏହି ଘଟଣାରେ ହେମନ୍ତର ପତ୍ନୀ ସଂଘମିତ୍ରା ସିଂ ଓ ଶଳା ରାଜକୁମାର ସିଂକୁ ପୁଲିସ ଗିରଫ କରିଥିଲା। ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା।

ସେତେବେଳର ଏସ୍‌ପି ତଥା ଏବେର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁସାରେ, ୧୯୯୯ ମେ’ ୨୮ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରୁ ୧୦ଟା ଭିତରେ ଚଢ଼ଉ ହୋଇଥିଲା। ଅରୁଣ ବୋଥ୍ରାଙ୍କ ଉଦ୍ୟମରେ ଏହି ୯ କେଜି ୩୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା। ଏହା ପରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଏକ ସିମେଣ୍ଟ ଅଖାରେ ବ୍ରାଉନସୁଗାର ରହିଥିଲା। ଏହା ଦେଖିବାକୁ ଅଟା ଭଳି ଥିଲା। ଏହା ରାଜ୍ୟ ପୁଲିସ ପାଇଁ ଗର୍ବର ବିଷୟ ପାଲଟିଥିଲା। ଏହି ଘଟଣା ଯେତିକି ଚର୍ଚ୍ଚିତ ଥିଲା, ମାମଲାର ଚାର୍ଜସିଟ୍ ପ୍ରସ୍ତୁତ କରିବା ସେତିକି ଚାଲେଞ୍ଜ ରହିଥିଲା। ଏହି ମାମଲାକୁ କେମିତି ବଳିଷ୍ଠ ଭାବେ ଉପସ୍ଥାପନ କରାଯାଇପାରିବ, ଏ ନେଇ ତତ୍କାଳୀନ ଡିଜି ବନବିହାରୀ ପଣ୍ଡାଙ୍କ ଉପଦେଶ ଲୋଡ଼ା ଯାଇଥିଲା।

ଏହି ମାମଲାର ଫେରାର କିଙ୍ଗପିନ୍ ହେମନ୍ତର ଗତ କିଛି ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନବେ ଦଶକରେ ଧରାପଡ଼ିଥିବା ଆଜାଦ୍ ପରଭେଜକୁ ମଧ୍ୟ ଦଣ୍ଡବିଧାନ ହୋଇଥିଲା। ଏହି ଧଳାଜହର କାରବାର ଉପରେ କେବେ ଯବନିକା ପଡ଼ିବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର