ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ୍‌ ହୁଡ଼ା ଭାଙ୍ଗିବା ଘଟଣା: ତଦନ୍ତକାରୀ ଦଳର କାରଣ ଖୋଜା ଆରମ୍ଭ

କୋକସରା : ଗତ ଶୁକ୍ରବାର ରାତିରେ ଇନ୍ଦ୍ରାବତୀ ଉଠା ଜଳସେଚନ କୋକସରା- ବେହେରା ମେଗା ଲିଫ୍ଟ କେନାଲ୍‌ ମାଝିଗୁଡ଼ା ନିକଟରେ ହଠାତ୍ କେନାଲ୍‌ ହୁଡ଼ା ଭାଙ୍ଗି ପ୍ରାୟ ୨୦ ଫୁଟ୍‌ର ଘାଇ ହୋଇଥିଲା। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଚାଷୀମାନେ ଦାବି କରିଥିଲେ।

ରବିବାର ଏକ ଉଚ୍ଚସ୍ତରୀୟ ଟିମ୍‌ ହୁଡ଼ା ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କାରଣ ଖୋଜିବା ପାଇଁ ଇଞ୍ଜିନିୟରିଂ ଇନ୍‌ ଚିଫ୍‌ ଓ ଅସୀମ ମହାପାତ୍ରଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ କ୍ଵାଲିଟି କଣ୍ଟ୍ରୋଲ ନିର୍ଦେଶକ ବ୍ରଜ ପରିଡ଼ା, ଅତିରିକ୍ତ ନିର୍ମାଣ ଯନ୍ତ୍ରୀ ପଦ୍ମନାଭ ପଣ୍ଡା, ମୁଖିଗୁଡ଼ା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଭୁ ମିଶ୍ର, କୁସୁମଖୁଣ୍ଟି ଡିଭିଜନ୍‌ ଇନ୍ଦ୍ରାବତୀ ନିର୍ବାହୀଯନ୍ତ୍ରୀ ଅଜିତ ପାତ୍ର ପ୍ରମୁଖ ସାମିଲ ଥିଲେ। ଘଟଣାସ୍ଥଳକୁ ଯାଇ କେଉଁ କାରଣ ପାଇଁ କେନାଲ୍‌ ହୁଡ଼ା ଭାଙ୍ଗିଲା ତଦନ୍ତ କରିଥିଲେ। ଏହାସହ ନିର୍ମାଣରେ କ’ଣ ସବୁ ଅନିୟମିତତା ହୋଇଛି, ତଦନ୍ତ କରି ମାଟିର ନମୁନା ସଂଗ୍ରହ କରିଥିଲେ। ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି।

ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ୍‌ ନିର୍ମାଣ ପାଇଁ ଗତ ୨୦୧୩ ମସିହା ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଡୁଗାଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ୍‌ର ଅଣ ଜଳସେଚିତ ଅଞ୍ଚଳର ୨୬ହଜାର ୨ଶହ ୪୮ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ରଖା ଯାଇଥିଲା। ଗତ ଜାନୁଆରି ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। କେନାଲ ନିର୍ମାଣ ଶେଷ ହେବାପରେ ୨୫ ହଜାର ୨୭୫ ହେକ୍ଟର ଜମିକୁ ଖରିଫ ଚାଷ ପାଇଁ ଜୁଲାଇ ମାସ ପ୍ରଥମ ସପ୍ତାହରେ ପ୍ରଥମକରି ପାଣି ଛଡ଼ା ଯାଇଥିଲା।

ସମ୍ବନ୍ଧିତ ଖବର