କଳାହାଣ୍ଡିରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ସଚିବ, ୫-ଟି ସଚିବ

ଖୁବ୍ ଶୀଘ୍ର ଭବାନୀପାଟଣାରୁ ବିମାନ ସେବା
ଡିସେମ୍ବର ସୁଦ୍ଧା ସରିବ ଭବାନୀପାଟଣା ମେଡିକାଲ କଲେଜ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଶନିବାର କଳାହାଣ୍ଡିକୁ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହ କୋଭିଡ୍‌ ସ୍ଥିତି, ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି ଉପରେ ଅନୁଧ୍ୟାନ କରିଥିଲେ। ଶନିବାର ଉଭୟ ଅଧିକାରୀ ସ୍ବତନ୍ତ୍ର ବିମାନ ଯୋଗେ ଉତ୍‌କେଲା ଏୟାର୍‌ଷ୍ଟ୍ରିପ୍‌ରେ ପହଞ୍ଚିଲା ପରେ ସେଠାରେ ଏୟାରଷ୍ଟ୍ରିପ୍‌ର ସ୍ଥିତି, ଜମି ଅଧିଗ୍ରହଣ ଉପରେ ସମୀକ୍ଷା କରିଥିଲେ। ଆର୍‌ସିଏସ୍‌ ଉଡ଼ାନ୍‌ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଉତ୍‌କେଲାରୁ ଭୁବନେଶ୍ୱର ଏବଂ ରାୟପୁରକୁ ସାପ୍ତାହିକ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ।

ଉଭୟ ଅଧିକାରୀ ଭଙ୍ଗାବାରିସ୍ଥିତ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ୍‌ କଲେଜ ପରିଦର୍ଶନ କରିଥିଲେ। ଅଧ୍ୟାପନା ବ୍ଲକ୍‌, ଅଡିଟୋରିୟମ୍‌, ପୁରୁଷ ଓ ମହିଳା ହଷ୍ଟେଲ୍‌ ସହ ଆସନ୍ତା ୩୧ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୬୫୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ଅଟକଳ ନେଇ ଟିକିନିଖି ସମୀକ୍ଷା କରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଆ‌ୟୋଜିତ ସମୀକ୍ଷା ବୈଠକରେ କେସିଙ୍ଗା-ବଲାଙ୍ଗୀର ୨୨୦ ଲାଇନ୍‌ର ଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଯେପରି ସବୁ ହିତାଧିକାରୀ ଏହି ପ୍ରକଳ୍ପର ସୁବିଧା ପାଇବେ, ତାହା ନିଶ୍ଚିତ କରାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥି‌େଲ। ଏହା ବାଦ୍ ନୂଆ ବସ୍‌ଷ୍ଟାଣ୍ଡ, ସାନ୍ଦୁଲ ଜଳସେଚନ ପ୍ରକଳ୍ପ, ମେଗାଲିିଫ୍‌ଟ ଜଳସେଚନ ପ୍ରକଳ୍ପ, ବିଜୁ ଏକ୍ସପ୍ରେସ୍‌ ୱେ, ନିର୍ମାଣାଧୀନ ଭବାନୀପାଟଣା ଟାଉନ୍‌ ହଲ ଓ ଧର୍ମଗଡ଼ ଆଇଟିଆଇ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ହାଇସ୍କୁଲ୍‌ ରୂପାନ୍ତରିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୨୬ଟି ହାଇସ୍କୁଲକୁ ନିଆଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଭବାନୀପାଟଣାସ୍ଥିତ ଟାଉନ୍‌ ହାଇସ୍କୁଲ୍‌ ଏବଂ ବ୍ରଜମୋହନ ହାଇସ୍କୁଲ୍‌ ପରିଦର୍ଶନ କରି ରୂପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସ୍‌, କୋଠରୀ, ବିଜ୍ଞାନ ପରୀକ୍ଷାଗାର, ଶୌଚାଳୟ, ଇ-ପାଠାଗାର ବୁଲି ଦେଖିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଗସ୍ତ ସମୟରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଏମ୍‌ଡି ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କ ସହ କଳାହାଣ୍ଡି ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର