ଜଗତ୍‌ସିଂହପୁର: ଗୁଆଳିପୁର ଠାରେ ମାଲ୍‌ଗାଡ଼ି ଧାରଣାଚ୍ୟୁତ

ଜଗତ୍‌ସିଂହପୁର: ଶୁକ୍ରବାର ସକାଳେ ରଘୁନାଥପୁର ଅନ୍ତର୍ଗତ ରେଢୁଆ ଅଞ୍ଚଳର ଗୁଆଳିପୁର ଠାରେ ଗୋଟିଏ ମାଲଗାଡ଼ିର ୧୪ଟି ଓ୍ଵାଗନ୍‌ ଧାରଣାଚ୍ୟୁତ ହୋଇଛି। ମାଲଗାଡ଼ିଟି କୋଇଲା ବୋଝେଇ କରି ପାରଦ୍ୱୀପରୁ କଟକ ଯାଉଥିଲା। କଟକ ଠାରୁ ୪୫ କିଲୋମିଟର ଏବଂ ପାରାଦ୍ୱୀପ ଠାରୁ ପ୍ରାୟ ୩୮ କିଲୋମିଟର ଦୂର ମଧ୍ୟବର୍ତ୍ତୀ ସ୍ଥାନରେ ଗାଡ଼ିଟି ଭୋର୍‌ ସାଢ଼େ ପାଞ୍ଚଟା ପରେ ଧାରଣାଚ୍ୟୁତ ହୋଇଥିବା ପ୍ରକାଶ। ଲାଇନ୍‌ର ଦୁଇ ପାର୍ଶ୍ୱରୁ ଓ୍ଵାଗନ୍‌ଗୁଡ଼ିକୁ ଉଠାଇବା ପାଇଁ ଖୋର୍ଦ୍ଧାରୁ ରିଲିଫ୍‌ ଟ୍ରେନ୍‌ ଏବଂ ସମ୍ବଲପୁରରୁ କ୍ରେନ୍‌ ଅଣା ଯିବାକୁ ନିର୍ଦେଶ ଦିଆଯାଇଛି।

ସେ ଅଞ୍ଚଳକୁ ପଡ଼ିଥିବା ଦୁଇଟି ଲାଇନ୍‌ରୁ ଗୋଟିଏ ଲାଇନ୍‌ ଟ୍ରେନ୍‌ ଯାତାୟତ କରିବ। ଆସନ୍ତାକାଲି ଯାଏ ଦୁର୍ଘଟଣା ଘଟିଥିବା ଲାଇନ୍‌ ବନ୍ଦ ରହିବା ଜଣାପଡୁଛି। ଦୁର୍ଘଟଣା ଯୋଗୁଁ କେହି ମୃତାହତ ହୋଇ ନାହାନ୍ତି। ଡ୍ରାଇଭର୍‌ ଏବଂ ଗାର୍ଡ ମଧ୍ୟ ନିରାପଦ ଅଛନ୍ତି।

ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ କରି ସବିଶେଷ ବିବରଣୀ ଦାଖଲ କରିବା ପାଇଁ ଜେନେରାଲ୍‌ ମ୍ୟାନେଜର ଉମେଶ ଚନ୍ଦ୍ର ସିଂହ ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌କୁ ନିର୍ଦେଶ ଦେବା ପରେ ସେଠାକାର ଡିଆର୍‌ଏମ୍‌ ବ୍ରଜମୋହନ ଅଗ୍ରଓ୍ଵାଲ୍‌ ତଦନ୍ତ କମିଟି ଗଠନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର