କାଇ ପିମ୍ପୁଡ଼ିକୁ ମିଳିବ ଜିଆଇ ମାନ୍ୟତା!

ଓୟୁଏଟିକୁ ରିପୋର୍ଟ ମାଗିଲା ଆୟୁଷ ମନ୍ତ୍ରାଳୟ

ବାରିପଦା: କାଇ ପିମ୍ପୁଡ଼ିକୁ ମିଳିବ (ଜିଆଇ) ଭୌଗଳିକ ପରିଚୟର ମାନ୍ୟତା। ଏ ନେଇ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓୟୁଏଟିକୁ ଡେମୋନ୍‌ଷ୍ଟ୍ରେସନ୍‌ ରିପୋର୍ଟ ମାଗିଛି।

ସୂଚନାଥାଉକି, ଗତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଓୟୁଏଟିର ବୈଜ୍ଞାନିକମାନେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟକୁ ଏ ସଂକ୍ରାନ୍ତରେ ଚିଠି ଲେଖି‌ଥିଲେ। କାଇ ପିମ୍ପୁଡ଼ିକୁ କିଏ ନାଲି ପିମ୍ପୁଡ଼ି ତ କିଏ ‘କୁରକୁଟି’ କହିଥା’ନ୍ତି। ଇଂରାଜୀରେ ଏହାକୁ ‘ରେଡ୍ ଆଣ୍ଟ’ କୁହାଯାଏ।

ଔଷଧୀୟ ଗୁଣ ଯୋଗୁଁ କାଇ ପିମ୍ପୁଡ଼ି ଉପରେ ଏବେ ବି ଗବେଷଣା ଜାରି ରହିଛି। ମୁଖ୍ୟତଃ ଜଙ୍ଗଲରେ ବଡ଼ବଡ଼ ଗଛ ଶାଳ, କୁସୁମ, ମହୁଲ, ଜାମୁ, ଆମ୍ବ ଆଦି ମିଠା ଓ ଫଳନ୍ତି ଗଛରେ ଏମାନେ ବସା ବାନ୍ଧି ରହିଥାଆନ୍ତି। କୁହାଯାଏ, ଛଅ ଶହ ଖ୍ରୀଷ୍ଟାବ୍ଦରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଠର ଦେଉଳରେ ବାଥୁଡି ସଂପ୍ରଦାୟର ଲୋକମାନେ ବସବାସ କରୁଥିବାବେଳେ କାଇ ପିମ୍ପୁଡ଼ିକୁ ଖାଦ୍ୟ ଭାବେ ବ୍ୟବହାର ଆରମ୍ଭ କରିଥିଲେ। ପରେ ଏହାକୁ ଔଷଧ ଭାବେ ବ୍ୟବହାର କରାଗଲା। ଏବେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓୟୁଏଟିକୁ ଡେମୋନ୍‌ଷ୍ଟ୍ରେସନ୍‌ ରିପୋର୍ଟ ମାଗିବା ପରେ କାଇ ପିମ୍ପୁଡ଼ିକୁ ଜିଆଇ ମାନ୍ୟତା ମିଳିବା ଆଶା ଉଜ୍ବଳ ‌ହୋଇଛି।

ସମ୍ବନ୍ଧିତ ଖବର