‘ପୁଷି’ ପାଇଁ ଜୀବନ ଗଲା: କୂଅ ଭିତରେ ଜଗି ବସିଥିଲା ମୃତ୍ୟୁ

ବିଲେଇ କାଢ଼ୁକାଢ଼ୁ ଜଣେ ମୃତ, ୨ ଗୁରୁତର

ଭୁବନେଶ୍ବର: ପରିତ୍ୟକ୍ତ ଗଭୀର କୂଅରେ ଗଳି ପଡ଼ିଥିବା ପୋଷା ବିଲେଇକୁ ବାହାର କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣାଟି ଆଜି ପଟିଆ ଷ୍ଟେସନ ବଜାରରେ ଘଟିଛି। ମୃତକ ହେଲେ ପଟିଆ ପଦ୍ମକେଶରପୁରର ଶିବରମଣ ସାହୁ(୫୦)। କୂଅରେ ଅଣନିଃଶ୍ବାସୀ ହୋଇ ଗୁରୁତର‌ ହୋଇଥିବା ଅନ୍ୟ ଦୁଇ ବ୍ୟକ୍ତି ହେଲେ ଭଜମନ ସାହୁ(୫୩) ଓ ଶଙ୍କର ସାହୁ(୩୦)। ଦମକଳ ବାହିନୀ ଠିକ୍‌ ସମୟରେ ପହଞ୍ଚିଯିବାରୁ ଭଜମନ ଓ ଶଙ୍କର ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି।

ପଟିଆ ଷ୍ଟେସନ ବଜାରରେ ଥିବା ଏହି କୂଅରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ପୋଷା ବିଲେଇ ‘ପୁଷି’ ଗଳିପଡ଼ିଥିଲା। ବିଲେଇକୁ ଉଦ୍ଧାର କରିବାକୁ ମାଲିକ ପଦ୍ମକେଶରପୁର ଯାଇ ଶିବରମଣଙ୍କୁ ସାହାଯ୍ୟ ମାଗିଥିଲେ। ଶିବରମଣ କୂଅ ଭିତରକୁ ଓହ୍ଲାଇଥିଲେ। କିନ୍ତୁ ବିଲେଇକୁ ବଞ୍ଚାଇବା ପୂର୍ବରୁ ସେ ଅଣନିଃଶ୍ବାସୀ ହୋଇପଡ଼ିଥିଲେ ଏବଂ ସଂଜ୍ଞାହୀନ ହୋଇ ପାଣିରେ ବୁଡ଼ିଯାଇଥିଲେ। କୂଅ ଉପରେ ରହି ଦେଖୁଥିବା ଶିବରମଣଙ୍କ ବଡ଼ଭାଇ ଭଜମନ ତୁରନ୍ତ କୂଅ ଭିତରକୁ ଯାଇଥିଲେ। ମାତ୍ର ସାନ ଭାଇକୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ସେ ମଧ୍ୟ ଶ୍ବାସରୁଦ୍ଧ ହୋଇ ଛଟପଟ‌ ହେବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବା ପରେ ସେଠାରେ ଉପସ୍ଥିତ କିଛି ଲୋକ ଅଗ୍ନିଶମ ବାହିନୀଙ୍କୁ ଫୋନ୍‌ କରିଥିଲେ। ମଞ୍ଚେଶ୍ବର ଦମକଳ ବାହିନୀ ଆସିବା ପୂର୍ବରୁ ବହୁ ବିଳମ୍ବ ହୋଇଯିବା ଆଶଙ୍କା କରି ଶଙ୍କର ସାହସ କରି କୂଅ ଭିତରକୁ ପଶି ଭଜମନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ମଧ୍ୟ ଅଣନିଃଶ୍ବାସୀ ହେବା ଜାଣି ଭିତରୁ ପାଟି କରି ସାହାଯ୍ୟ ମାଗିଥିଲେ। ସୌଭାଗ୍ୟକୁ ସେତିକିବେଳେ ଦମକଳ ବାହିନୀ ପହଞ୍ଚିଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଶଙ୍କର ଓ ଭଜମନଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌କୁ ପଠାଇଥିଲେ। ପରେପରେ ଶିବରମଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ନିଆଯାଇଥିଲା, କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ବିଲେଇଟି ବି ମରିଯାଇଥିଲା।

ସମ୍ବନ୍ଧିତ ଖବର