ବିବାଦରେ ମହାପ୍ରଭୁଙ୍କ ବେଶ, ଆଲୋଚନା ବିଫଳ

ରତ୍ନସିଂହାସନରେ ଅଧିକ ସେବକ ରହିଲେ ଅଳଙ୍କାର ଦେବୁନି: ମେକାପ ସେବକ
ଅଧିକ ସେବାୟତ ଅନୁମତି ନ ଦେଲେ ବେଶ କରିବୁନି: ସିଘାଂରୀ ସେବକ

ପୁରୀ : ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ନେଇ ଦେଖା ଦେଇଥିବା ବିବାଦ ଜଟିଳ ହେବାରେ ଲାଗିଛି। ଦୁଇ ନିଯୋଗର କଳି ଏବେ ଉଗ୍ରରୂପ ନେବାରେ ଲାଗିଛି। କେହି ବି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ଦୁଇ ନିଯୋଗ ସହ ପ୍ରଶାସନ ଆଲୋଚନା କରିଥିଲେ ବି ଏହା ଏକପ୍ରକାର ବିଫଳ ହୋଇଛି। ତିନିବାଡ଼ ପାଇଁ ୩ରୁ ଅଧିକ ସେବକ ରତ୍ନ ସିଂହାସନ ଉପରେ ରହିଲେ, କୌଣସି ପରିସ୍ଥିତିରେ ବି ଅଳଙ୍କାର ଦେବୁନି ବୋଲି ସିଧାସଳଖ କହିଛନ୍ତି ମେକାପ ସେବକ। ସେପଟେ ଅଧିକ ସେବକ ସେବା କରିବାକୁ ଅନୁମତି ନ ଦେଲେ, ବେଶ କରିବୁନି ବୋଲି ସିଧାସଳଖ କହିଛନ୍ତି ପୁଷ୍ପାଳକ ସେବକ। ଦୁଇ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବା ପ୍ରଶାସନକୁ ଅଡ଼ୁଆରେ ପକାଇଛି। ଏଭଳି ବିବାଦୀୟ ପରିସ୍ଥିତିରେ, ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣମା ଅବସରରେ ମହାପ୍ରଭୁଙ୍କ ସୁନାବେଶ କିପରି ହେବ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଦୀର୍ଘ ୨୬ ବର୍ଷ ପରେ ପଡ଼ୁଥିବା ନାଗାର୍ଜୁନ ବେଶ ସମୟରେ ଶ୍ରୀଜିଉଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗିକୁ ନେଇ ଭଣ୍ଡାର ମେକାପ-ସିଂଘାରୀ ସେବକଙ୍କ ଭିତରେ ବିବାଦ ଦେଖା ଦେଇଥିଲା। ‌ବେଶ ଲାଗି ସମୟରେ ରତ୍ନ ସିଂହାସନ ଉପରେ ଅଧିକ ସିଂଘାରୀ ସେବକ ଥିବାରୁ ଭଣ୍ଡାର ମେକାପମାନେ ଅଳଙ୍କାର ଦେବାକୁ ମନା କରି ଦେଇଥିଲେ। ରତ୍ନ ସିଂହାସନ ଉପରେ ଅଧିକ ସିଂଘାରୀ ସେବକ ରହିଲେ, ଅଳଙ୍କାର ଗଣତି ଏପଟସେପଟ ହେବ ବୋଲି କହିଥିଲେ। ଯେଉଁଥିପାଇଁ ୩ ଘଣ୍ଟାରୁ ଅଧିକ ସମୟ ନୀତି ବିଳମ୍ବ ହୋଇଥିଲା। ସମାନ କାରଣକୁ ନେଇ ଗତ ୨୮ ତାରିଖରେ ପୁଷ୍ୟାଭିଷେକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ସମୟରେ ଭଣ୍ଡାର ମେକାପ-ସିଂଘାରୀଙ୍କ ଭିତରେ ବିବାଦ ଦେଖା ଦେଇଥିଲା। ଯେଉଁଥିପାଇଁ ଶ୍ରୀଜିଉଙ୍କ ସୁନାବେଶ ୫ ଘଣ୍ଟା ବିଳମ୍ବ ହୋଇଥିଲା। ଏହି ଘଟଣାକୁ ନେଇ ବିରୋଧର ସ୍ବର ଉଠିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନୀତି ପ୍ରଶାସକଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଦୁଇ ନିଯୋଗକୁ ଡାକି ଘଟଣା ସଂପର୍କରେ ଆଲୋଚନା କରିବାକୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ପୁଷ୍ପାଳକ(ସିଂଘାରୀ) ନିଯୋଗକୁ ଡାକି ପୁଷ୍ୟାଭିଷେକ ନୀତି ବିଭ୍ରାଟ ସଂପର୍କରେ ଆଲୋଚନା କରିଥିଲେ। ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଆଜି ମେକାପ ସେବକଙ୍କ ସହ ଆଲୋଚନା କରାଯାଇଛି। ଏହା ବି ଏକପ୍ରକାର ବିଫଳ ଯାଇଛି। ଗତକାଲି ଆଲୋଚନା ପରେ ବୈଠକରେ ଉପସ୍ଥିତ ଥିବା ପୁଷ୍ପାଳକ ନିଯୋଗର ବରିଷ୍ଠ ସେବକ ବିଜୟ କୃଷ୍ଣ ସିଂଘାରୀ କହିଥିଲେ କି ରତ୍ନ ସିଂହାସନ ଉପରେ ତିନିଜଣ ସେବକରେ କୌଣସି ପରିସ୍ଥିତିରେ ବେଶ କରିବା ସମ୍ଭବ ନୁହେଁ। କେବଳ ମହାପ୍ରଭୁଙ୍କ ସୁନାର କିରିଟୀର ଓଜନ ୬୦ରୁ ୬୫ କେଜି। ଏହାକୁ ଘୋଡ଼ା(ନିଶୁଣି ଭଳି ରତ୍ନ ସିଂହାସନକୁ ଚଢ଼ିବା ଆସବାବ) ସାହାର୍ଯ୍ୟରେ ଉପରକୁ ଉଠାଇବା କଷ୍ଟକର। କାରଣ ଏହା ମହାପ୍ରଭୁଙ୍କ ତ୍ରିମୁଣ୍ଡିକୁ ଉଠିବ। ତିନିଜଣ ସେବକ କୌଣସି ପରିସ୍ଥିତିରେ ଏହାକୁ ଉଠାଇ ପାରିବେନି। ଅଧିକ ସେବକ ହେଲେ ହିଁ କିରିଟୀ ରତ୍ନ ସିଂହାସନ ଉପରକୁ ଉଠିପାରିବ। ଯଦି ଅଧିକ ସିଂଘାରୀ ସେବକଙ୍କୁ ବେଶ କରିବାକୁ ଅନୁମତି ନ ଦିଆଯାଏ, ଆମେ କୌଣସି ପରିସ୍ଥିତିରେ ବେଶ କରିବୁନି। ଏହି ବିବାଦର ତୁରନ୍ତ ସମାଧାନ କରାଯାଉ। ନଚେତ୍‌ ଆଗାମୀ ଦୋଳପୂର୍ଣ୍ଣିମାରେ ବେଶ ସମୟରେ ବିଭ୍ରାଟ ଦେଖାଦେବ ବୋଲି ସେ କହିଛନ୍ତି। ଆଜିର ବୈଠକ ଉପସ୍ଥିତ ଥିବା ମେକାପ ନିଯୋଗର ବରିଷ୍ଠ ସେବାୟତ ନାରାୟଣ ମେକାପ କହିଛନ୍ତି, ସ୍ବତ୍ତ୍ବଲିପି ଆଧାରରେ ଆମେ କାମ କରୁଛୁ। ଜଜମାନୀ ବେଶ ସମୟରେ ରତ୍ନ ସିଂହାସନରେ ତିନିବାଡ଼ ପାଇଁ ୫ଜଣ ‌ସିଂଘାରୀ ସେବକ ରହିପାରିବେ। କିନ୍ତୁ ସୁନାବେଶ ସମୟରେ ତିନିବାଡ଼ ପାଇଁ ୩ଜଣ ସିଂଘାରୀ ସେବକ ରହିବାର ନିୟମ ରହିଛି। ସୁନାବେଶ ସମୟରେ ସିଂଘାରୀ ସେବକ ଚାହିଁଲେ ତଳୁଚ୍ଛ ଓ ଭିତରୁଚ୍ଛଙ୍କୁ ମିଶାଇ ୫ଜଣରେ ବେଶ କରି ପାରିବେ। ଆମେ ଏଭଳି ସ୍ଥିତିରେ ଅଳଙ୍କାର ଯୋଗାଇବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ସିଂଘାରୀ ସେବକ ୩ଜଣ ହିଁ ରହିବେ। ଯଦି ସିଂଘାରୀ ସେବକ ୩ରୁ ଅଧିକ ରୁହନ୍ତି, କୌଣସି ପରିସ୍ଥିତିରେ ଅଳଙ୍କାର ଦେବୁନି। ଦୋଳପୂର୍ଣ୍ଣିମା ସୁନାବେଶ ସଂପର୍କରେ ଶ୍ରୀ ମେକାପ କହିଛନ୍ତି କି ସେଦିନ ବି ରତ୍ନ ସିଂହାସନ ଉପରେ ୩ଜଣ ସେବକ ରହିଲେ, ଆମେ ଅଳଙ୍କାର ଦେବୁ। ନଚେତ୍‌ ଅଳଙ୍କାର ଦେବାର ପ୍ରଶ୍ନ ଉଠୁନୁ। ତିନି ପାଳିଆ ପୁଷ୍ପାଳକ ଚାହିଁଲେ ଗୋଟିଏ ବାଡ଼ର ବେଶ ସାରି ଅନ୍ୟ ବାଡ଼ର ବେଶ କରି ପାରିବେ। କିନ୍ତୁ ସେଭଳି ନ କରି ଅଧିକ ସେବକ ରତ୍ନ ସିଂହାସନ ଉପରକୁ ଉଠାଇବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଏ ସଂପର୍କିତ ମତ ଜିଲ୍ଲାପାଳଙ୍କୁ ଦିଆସରିଛି। ବାକି ଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଦୁଇ ନିଯୋଗକୁ ଡାକି ଗତ ୨୮ ତାରିଖ ବିବାଦ ସଂପର୍କରେ ଆଲୋଚନା କରାଯାଇଛି। ଦୁଇପକ୍ଷର ଅଭିଯୋଗ ଶୁଣାଯାଇଛି। ଏ ଉପରେ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର