କଳିଙ୍ଗ ହସ୍ପିଟାଲ-ଡମଣା ରାସ୍ତାରେ ତୁମୁଳକାଣ୍ଡ : ଯୁବକ, ଯୁବତୀଙ୍କ ଆତଙ୍କରାଜ

ସ୍କୁଟିଚାଳକକୁ ନିର୍ଧୁମ୍ ପିଟି ମୁଣ୍ଡ ଫଟାଇଦେଲେ
ଗୋଡ଼ାଇ ଗୋଡ଼ାଇ ଜଣକୁ ମାଡ଼ି ବସିଲା ପୁଲିସ
କାର୍‌ ଧରି ଅନ୍ୟ ଦୁଇ ଜଣ ଖସିଗଲେ

ଚନ୍ଦ୍ରଶେଖରପୁର : ରବିବାର ସମୟ ସଂଧ୍ୟା ପ୍ରାୟ ସାଢ଼େ ୭ଟା। କଳିଙ୍ଗ ହସ୍ପିଟାଲରୁ-ଡମଣା ରାସ୍ତାରେ ଥିବା ଏକ କଟ୍‌ରେ ଗୋଟିଏ କାର୍‌ ୟୁ-ଟର୍ଣ୍ଣ ନେବା ବେଳେ ପଛପଟୁ ଆସୁଥିବା ସ୍କୁଟି ଭାରସାମ୍ୟ ହରାଇ ଟିକିଏ ଘଷି ହେଇଗଲା। ବିଚରା ସ୍କୁଟି ଚାଳକ ଜଣକ ସ୍କୁଟି ସହ ରାସ୍ତାରେ ପଡ଼ିଗଲେ। ଏତିକିରେ କାର୍‌ ଚାଳକଙ୍କ ରାଗ ତାଳୁକୁ ଚଢ଼ିଗଲା। ରାସ୍ତା ମଝିରେ କାର୍‌ ରଖି ବାହାରି ଆସିଲେ ଦୁଇଜଣ ଯୁବକ ଓ ଜଣେ ଯୁବତୀ। ରାସ୍ତା ଉପରେ ପଡ଼ିଥିବା ସ୍କୁଟି ଚାଳକକୁ ଉଠାଇ ନିର୍ଧୁମ୍‌ ଛେଚିଲେ। ସ୍କୁଟି ଚାଳକ ଜୀବନ ବିକଳରେ ଦଉଡ଼ୁଥିଲେ ହେଁ ଉଭୟ ତାଙ୍କୁ ଗଡ଼ାଇ ତଡ଼ାଇ ପିଟି ଚାଲିଥିଲେ। ମାରିମାରି ମୁଣ୍ଡ ଫଟାଇଦେଲେ। ରାସ୍ତାରେ ଶହଶହ ଲୋକ ଏହି ଦୃଶ୍ୟ ଦେଖୁଥିଲେ ହେଁ ଉଦ୍‌ଭ୍ରାନ୍ତ ଯୁବକ ଓ ଯୁବତୀଙ୍କ ଏମିତି ଉତ୍ପାତ ଦେଖି ତାଙ୍କୁ ଅଟକାଇବା ପାଇଁ କେହି ସାହସ ଜୁଟାଇ ପାରିନଥିଲେ। ପୁଲିସ୍‌ ଆସିବା ପର୍ଯ୍ୟନ୍ତ ପ୍ରାୟ ୧୫ ମିନିଟ୍‌ ଧରି ତୁମୁଳକାଣ୍ଡ ଘଟାଇ ଆତଙ୍କରାଜ ସୃଷ୍ଟି କରିଥିଲେ ସେମାନେ। ଫଳରେ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଆଉ ଡମଣାଠାରୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତା‌ରେ ଶହଶହ ଗାଡ଼ି ଛିଡ଼ା ହୋଇ ରହିଥିଲା।

ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଜଣେ ଯୁବକ ଓ ଯୁବତୀ କାର୍‌ରେ ବସି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। କିନ୍ତୁ ଅନ୍ୟ ଜଣେ ଯୁବକ ଯାଇ ପାରି ନ ଥିଲେ। ପୁଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲା। ଏହାପରେ ଜଣାପଡ଼ିଥିଲା ଯେ ଯୁବକ ଜଣକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିଲେ। ସେ ମଧ୍ୟ ପୁଲିସକୁ ନାଲି ଆଖି ଦେଖାଇଥିଲେ। ତେବେ ପୁଲିସ୍‌ କିଛି ଶୁଣି ନ ଥିଲା। ତାଙ୍କୁ କାବୁ କରି ଥାନାକୁ ନେବା ସହ ଟ୍ରାଫିକ୍‌ ଚଳାଚଳ ସ୍ବାଭାବିକ କରାଇଥିଲା।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ହେଲେ, ସୁମନ୍ତ ରାଜ (୨୮)। ଘର କଟକ ନିଆଳି ଅଞ୍ଚଳରେ। ସେହିପରି ମାଡ଼ ଖାଇଥିବା ସ୍କୁଟି ଚାଳକ ହେଲେ, ଶିଖରଚଣ୍ଡୀ ନଗରର ଉମେଶ ପଣ୍ଡା (୨୮)। ପୁଲିସ୍‌ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଇଛି। ତାଙ୍କ ମୁଣ୍ଡ ଫାଟି ଯାଇଥିବା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ସନ୍ଧ୍ୟା ସମୟରେ ପ୍ରାୟତଃ ଟ୍ରାଫିକ୍ ଜାମ୍ ରହୁଥିବା ଏହି ରାସ୍ତା ଉପରେ ଏଭଳି ତୁମୁଳକାଣ୍ଡ ପାଇଁ ରାସ୍ତାର ଦୁଇପଟେ ଗାଡ଼ିର ଲମ୍ବା ଲାଇନ୍‌ ଲାଗି ଯାଇଥିଲା। ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶେଷକରି ଜନତା ମଇଦାନରେ ଚାଲିଥିବା ତୋଷାଳି ମେଳାକୁ ବୁଲି ଆସିଥିବା ହଜାର ହଜାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି କିଛି ଆମ୍ବୁଲାନ୍ସ ମଧ୍ୟ ବିଭିନ୍ନ ଛକରେ ଫସି ରହିଥିଲା।

ସମ୍ବନ୍ଧିତ ଖବର