ବଙ୍ଗୋପସାଗରରେ ଆସନ୍ତା କାଲି ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ, ୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର :  ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି  ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୯ ତାରିଖ ସୁଦ୍ଧା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ପରେ ଏହା ଭାରତର ପୂର୍ବତଟ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଏହି ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମୌସୁମୀକୁ ଟାଣିବାରେ ସହାୟକ ହେବ । ଏଥିପାଇଁ ଏହି ପାଣିପାଗ ସିଷ୍ଟମକୁ ମନସୁନ ଡ୍ରାଇଭର ବା ମୌସୁମୀ ଚାଳକ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଥାନ୍ତି । ବଙ୍ଗୋପସାଗରର ସାମୁଦ୍ରିକ ବାତାବାରଣ ଏହି ଲଘୁଚାପ  ସୃଷ୍ଟି ପାଇଁ ଅନୁକୂଳ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହି ଲଘୁଚାପ ଯୋଗୁଁ ମୌସୁମୀର ପୂର୍ବଭାଗଟି ପଶ୍ଚିମଭାଗ ତୁଳନାରେ ଶୀଘ୍ର ଅଗ୍ରଗତି କରିବ ଓ ଆସନ୍ତା ୧୧-୧୨ ତାରିଖ ବେଳକୁ ସମଗ୍ର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଶ ଛୁଇଁବ ।

ଏହି ଲଘୁଚାପ କାରଣରୁ ଆସନ୍ତା ୮ ତାରିଖ ବେଳକୁ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବ ଓ ୧୦ ବେଳକୁ ଓଡ଼ିଶା ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଅନ୍ତରୀଣ କର୍ଣ୍ଣାଟକ, ରାୟଲସୀମା, ତାମିଲନାଡୁ, ପୁଡୁଚେରୀରେ ପହଞ୍ଚିସାରିଛି । ଆସନ୍ତା ୨-୩ ଦିନରେ ଏହା ସଂପୂର୍ଣ୍ଣ କର୍ଣ୍ଣାଟକ , ଗୋଆ,କୋଙ୍କଣ, ଉପକୂଳ ଆନ୍ଧ୍ରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ।    ପରବର୍ତ୍ତି ଦୁଇ ଦିନରେ ଏହା ଓଡ଼ିଶା, ଉତ୍ତର-ପୂର୍ବ ଭାରତ, ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶରେ ପହଞ୍ଚିବ ।

ସମ୍ବନ୍ଧିତ ଖବର