ତେଲେଙ୍ଗାନାରୁ ଭୁବନେଶ୍ୱର ଯାଏଁ ଚାଲି ଚାଲି ପାଦ ଖଣ୍ଡିଆ ହେଲା, ଏଥିରେ ବି ଯିବାକୁ ପଡ଼ିବ ଛତିଶଗଡ଼

ଭୁବନେଶ୍ୱର: ଗୁଜୁରାଟ ଫେରନ୍ତା ଜଣେ ପ୍ରବାସୀ ଶ୍ରମିକ ଶହ ଶହ କିଲୋମିଟର ରାସ୍ତା ପାଦରେ ଚାଲିବା ପରେ ଥକିପଡ଼ିଛନ୍ତି। ହାତରେ ଟଙ୍କା ନଥିବାରୁ ଖାଇବା ପିଇବା ମଧ୍ୟ ଠିକ୍‌ ଭାବରେ ହୋଇପାରି ନାହିଁ। ଚାଲିବା ରାସ୍ତାରେ ବାଟରେ ଯିଏ ଯାହା ଦେଲା, ତାହା ଖାଇଛନ୍ତି। ବହୁ ଦିନ ପର୍ଯ୍ୟନ୍ତ ଚାଲିଥିବାରୁ ଗୋଡ଼ ଫୁଲିଯିବା ସହ ପାଦ ତଳପଟ ଖଣ୍ଡିଆ ହୋଇଯାଇଛି। ଫୁଲା ପାଦରେ ମଧ୍ୟ ରାସ୍ତା ଚାଲିବା ସରିନାହିଁ। ପ୍ରବାସୀ ଶ୍ରମିକ ଜଣଙ୍କୁ ଛତିଶଗଡ଼ ଯିବାକୁ ପଡ଼ିବ।

ଛତିଶଗଡ଼ର କବୀରଧାମ (କଓ୍ଵର୍ଦ୍ଧା) ଜିଲ୍ଲା ନିବାସୀ ସନ୍ତୋଷ ଯାଦବ ଗୁଜୁରାଟର ସୁରତରେ ରଂଗମିସ୍ତ୍ରୀ ଭାବେ କାମ କରୁଥିଲେ। କରୋନା ଭାଇରସ ପାଇଁ ଲକଡାଉନ ଆରମ୍ଭ ହେବା ପରେ କଂପାନି ବନ୍ଦ ହୋଇଗଲା। ସନ୍ତୋଷକୁ ସୁରତରେ କୌଣସି କାମ ନ ମିଳିବାରୁ ବାଧ୍ୟ ହୋଇ ଘରକୁ ଫେରିବାକୁ ପଡ଼ିଥିଲା। ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଚଢ଼ିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏକ ଭୁଲ ଟ୍ରେନ୍‌ରେ ଚଢ଼ିଥିବାରୁ ସେ ଛତିଶଗଡ଼ ବଦଳରେ ତେଲେଙ୍ଗାନାରେ ପହଞ୍ଚିଥିଲେ। ସେ ତେଲେଙ୍ଗାନାରେ ପହଞ୍ଚିଥିବା ଜାଣିବା ପରେ ନିରାଶ ହୋଇଯାଇଥିଲେ।

Photo: Bibhuti Sahoo

ସନ୍ତୋଷ ଯାଦବ ଯେତେବେଳେ ସୁରତରୁ ଘର ଅଭିମୁଖେ ବାହାରିଥିଲେ, ତାଙ୍କୁ କମ୍ପାନିର ମାଲିକ ୧୦୦୦ ଟଙ୍କା ଦେଇଥିଲେ। ଏହି ଟଙ୍କା ତେଲଙ୍ଗାନାରେ ପହଞ୍ଚିବା ବେଳକୁ ଶେଷ ହୋଇଯାଇଥିଲା। ହାତରେ ଟଙ୍କା ନଥିବାରୁ ଓ କରୋନା ଭାଇରସ କଟକଣା ଯୋଗୁଁ ସନ୍ତୋଷଙ୍କୁ କୌଣସି ଗାଡ଼ି ଚାଳକ ରାସ୍ତାରେ ସାହାଯ୍ୟ ଦେଇ ନଥିଲେ, ଫଳରେ ସେ ଜାତୀୟ ରାଜପଥରେ ଚାଲି ଚାଲି ଆଗକୁ ବଢ଼ିଥିଲେ।

ଭୁବନେଶ୍ୱରସ୍ଥିତ ଆଚାର୍ଯ୍ୟ ବିହାର ଛକ ଠାରୁ ବାଣୀବିହାର ଯାଇଥିବା ଫ୍ଲାଏଓଭର ବ୍ରିଜ ଉପରେ ସନ୍ତୋଷ ଚାଲି ଚାଲି ଯାଉଥିବା ବେଳେ ‘ସମ୍ବାଦ’ର ଫଟୋ ସାମ୍ବାଦିକ ବିଭୂତି ସାହୁ ତାଙ୍କୁ ଭେଟିଥିଲେ। ଏହି ସମୟରେ ବିଭୂତିଙ୍କୁ  ନିଜର ଯାତ୍ରା ସଂପର୍କରେ ସବୁ କଥା କହିଥିଲେ ସନ୍ତୋଷ। ତା’ପରେ ବିଭୂତିଙ୍କ ସହାୟତରେ ସନ୍ତୋଷ ପଲାଶୁଣୀ ଛକରେ ମୁତୟନ ଥିବା ପୁଲିସ ନିକଟରେ ପହଞ୍ଚିଥିଲେ। ପରେ ସନ୍ତୋଷକୁ ପୁଲିସ କର୍ମୀମାନେ କିଛି ଖାଦ୍ୟ ଦେଇ ଓଡ଼ିଶା-ଛତିଶଗଡ଼ ସୀମାକୁ ଯାଉଥିବା ଏକ ଟ୍ରକରେ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର