ଛତିଶଗଡ଼ ମାଓବାଦୀ ରାହୁଲ ମୁସାକିର ଆତ୍ମସମର୍ପଣ: ‘ମାଓ ଆଦର୍ଶ ଏବେ ବିପଥଗାମୀ ହୋଇଛି’

ଫୁଲବାଣୀ : କନ୍ଧମାଳ ଏସ୍‌.ପି.ଙ୍କ ନିକଟରେ ରବିବାର ଦିନନ ବିଜିଏନ୍‌ ଡିଭିଜନର ମାଓବାଦୀ ରାହୁଲ ମୁସାକି ଓରଫ୍ ପିଣ୍ଟୁ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର ଛତିଶଗଡ଼ ସୁକ୍‌ମା ଜିଲ୍ଲା ଜେଗୁରୁମୁଣ୍ଡା ପଞ୍ଚାୟତ ତଳଟ ଗ୍ରାମରେ।

ରାହୁଲ ୨୦୧୫ ମସିହାରୁ ମାଓ ସଂଗଠନ ସହ ମିଶି କାର୍ଯ୍ୟ କରି ଆସୁଥିବା ସହ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ତେବେ ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ରାହୁଲ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନସ୍ଥ କରିଥିଲେ। ଆଉ ଆଜି ସେ ଆତ୍ମସମର୍ପଣ କରିଥିବା କନ୍ଧମାଳ ଏସ୍‌.ପି. ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍‌ କରିବା ପରେ ମାଓବାଦୀ ରାହୁଲ ଆତ୍ମସମର୍ପଣ କରିଥିବା ଏସ୍‌.ପି ପ୍ରକାଶ କରିଛନ୍ତି।

ଆତ୍ମସମର୍ପଣ ପରେ ରାହୁଲ କହିଛନ୍ତି, ମାଓ ନେତାମାନେ ନିଜ ସ୍ବାର୍ଥ ହାସଲ ପାଇଁ ସରଳ ଆଦିବାସୀମାନଙ୍କୁ ଭୁଲ୍ ରାସ୍ତାରେ ପରିଚାଳିତ କରୁଛନ୍ତି। ନିଜର ଆଦର୍ଶ ଓ ନୀତିକୁ ପରିତ୍ୟାଗ କରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ବିନା କାରଣରେ ନିରୀହ ଜନତାଙ୍କୁ ହତ୍ୟା କରୁଛନ୍ତି। ଏହିସବୁ କାରଣ ଯୋଗୁଁ କେତେକ ମାଓବାଦୀ ଆତ୍ମସମର୍ପଣ କରିବାକୁ ମନ ବଳାଇଛନ୍ତି। ତେବେ ସମସ୍ତ ମାଓବାଦୀମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋ‌ତରେ ସାମିଲ ହେବାକୁ ରାହୁଲ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର