ରାମ ଓ କୃଷ୍ଣଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବା ପାଇଁ ଆଇନ ହେବା ଉଚିତ: ଆଲ୍ଲାହାବାଦ ହାଇକୋର୍ଟ

ପ୍ରୟାଗରାଜ: ହିନ୍ଦୁମାନଙ୍କର ଆରାଧ୍ୟ ଭଗବାନ୍ ରାମ ଓ କୃଷ୍ଣ ଏବଂ ରାମାୟଣକାର ଆଦିକବି ବାଲ୍ମୀକି ଓ ଭଗବଦ୍‌ଗୀତାର ରଚୟିତା ମହର୍ଷି ବେଦବ୍ୟାସଙ୍କୁ ଜାତୀୟ ସମ୍ମାନ ଜଣାଇବା ପାଇଁ ପାର୍ଲାମେଣ୍ଟରେ ଆଇନ ପ୍ରଣୟନ ହେବା ଉଚିତ ବୋଲି ଶୁକ୍ରବାର ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ହିନ୍ଦୁ ଦେବଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି କରିବା ଅବସରରେ କୋର୍ଟ ଏହି ମନ୍ତବ୍ୟ ଦେଇଥିଲେ। ଜଷ୍ଟିସ୍ ଶେଖର କୁମାର ଯାଦବ କହିଲେ ଯେ, ଅଭିଯୁକ୍ତ ତଥା ଜାମିନ ପାଇଁ ଆବେଦନ କରିଥିବା ବ୍ୟକ୍ତି ଜଣକ ଭାରତର ମହାପୁରୁଷ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ରାମ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ବିଶ୍ବାସ ଉପରେ ଆଘାତ ଦେଇଛନ୍ତି।

ଏହାଦ୍ବାରା ସମାଜରେ ଶାନ୍ତି ଓ ସଦ୍‌ଭାବ ନଷ୍ଟ ହେଉଛି। ତେବେ ଅଭିଯୁକ୍ତ ଜଣକ ବିନା ବିଚାରରେ ୧୦ ମାସ ଧରି ଜେଲରେ ରହିଥିବାରୁ କୋର୍ଟ ତାଙ୍କର ଜାମିନ ଆବେଦନକୁ ମଞ୍ଜୁର କରିଥିଲେ। ଏଥିସହ କୋର୍ଟ କହିଥିଲେ ଯେ, ଭାରତର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ଉକ୍ତ ଦୁଇ ଦେବତାଙ୍କର ପୂଜା କରିଆସୁଛନ୍ତି। ତେଣୁ ଭଗବାନ୍ ରାମ, ଶ୍ରୀକୃଷ୍ଣ, ରାମାୟଣ, ଗୀତା ଓ ସେଗୁଡ଼ିକର ପ୍ରଣେତା ମହର୍ଷି ବାଲ୍ମୀକି ଓ ବେଦବ୍ୟାସଙ୍କୁ ରାଷ୍ଟ୍ରୀୟ ସମ୍ମାନ ଜଣାଇବା ପାଇଁ ସଂସଦରେ ଆଇନ ହେବା ଉଚିତ, କାରଣ ଏମାନେ ହେଉଛନ୍ତି ଏ ଦେଶର ସଂସ୍କୃତି ଓ ଐତିହ୍ୟ।

ସମ୍ବନ୍ଧିତ ଖବର