ଚନ୍ଦ୍ର କୁମାର ମହାନ୍ତି ପଞ୍ଚମ ସ୍ମୃତି ଉତ୍ସବ

ଡ. ଶୁଭଶ୍ରୀ ଲେଙ୍କା, କିଶୋର ପାଣିଗ୍ରାହୀ ଓ ଲିପିକା ଦାସଙ୍କୁ କବିତା ସମ୍ମାନ

ବାଲେଶ୍ୱର : ରେମୁଣା ଡିଗ୍ରି କଲେଜ ଓ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ଆନୁକୂଲ୍ୟରେ ଏବଂ ଭଲ କବିତା ଖୋଜ୍ ସହଯୋଗରେ ଆଜି ଚନ୍ଦ୍ର କୁମାର ମହାନ୍ତି ପଞ୍ଚମ ସ୍ମୃତି ଉତ୍ସବ ଆଜି ଅପରାହ୍ନରେ କଳିଙ୍ଗ ‌ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଚନ୍ଦ୍ରଭାଗାର ସଂପାଦକ କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ରେବତୀର ସଂପାଦକ ତଥା ସମାଜସେବୀ ସୁବାସିନୀ ଜେନା ଉଦ୍‌ଘାଟନ କରିଥିଲେ। ଚନ୍ଦ୍ର କୁମାର ମହାନ୍ତିଙ୍କ ଜୀବନଦର୍ଶନ ସମ୍ପର୍କରେ ସେ ଆଲୋକପାତ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ଡ. ହୃଷୀକେଶ ମଳ୍ଲିକ ଯୋଗଦେଇ ସାହିତ୍ୟ ଓ ସଂସ୍କୃତିର ଆହୁରି ଅଧିକ ପ୍ରଚାର ଓ ପ୍ରସାର ହେବା ଉଚିତ୍ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ବରସ୍ଥିତ ସାହିତ୍ୟ ସମାଜର ସଭାପତି, ସାହିତ୍ୟିକ ତଥା ଦକ୍ଷ ସଂଗଠକ ସୂର୍ଯ୍ୟ ମିଶ୍ର ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା ଓ ‘ପ୍ରତିଭାଶ୍ରୀ’ର ମୁଖ୍ୟ କବି ପ୍ରଶାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚନ୍ଦ୍ର କୁମାର ମହାନ୍ତିଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣ କବି ଓ କବୟିତ୍ରୀଙ୍କୁ ଚନ୍ଦ୍ରକୁମାର ମହାନ୍ତି କବିତା ସମ୍ମାନ‌ରେ ସମ୍ମାନିତ କରାଯାଇଥିଲା। ୨୦୧୯ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା, ୨୦୨୦ ବର୍ଷ ପାଇଁ ଅଧ୍ୟାପକ ତଥା କବି କିଶୋର ପାଣିଗ୍ରାହୀ ଏବଂ ୨୦୨୧ ବର୍ଷ ପାଇଁ ଲିପିକା ଦାସଙ୍କୁ କବିତା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚନ୍ଦ୍ର କୁମାର ମହାନ୍ତିଙ୍କ ସୁପୁତ୍ର ଉତ୍ପଳ ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ‌ଶେଷରେ ସାମ୍ବାଦିକ ରଂଜନ ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ସହରର ବହୁ କବି, କବୟିତ୍ରୀ, ଆଇନଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର