ଦିଲ୍ଲୀ ସରକାରଙ୍କ ରାସନ ହୋମ୍‌ ଡେଲିଭରି ଯୋଜନାକୁ କେନ୍ଦ୍ରର ନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ ଦିଲ୍ଲୀ ସରକାରଙ୍କ ରାସନ ହୋମ୍‌ ଡେଲିଭରି ଯୋଜନାକୁ ଅନୁମତି ଦେବାକୁ ମନା କଲେ। ରାସନ ଦୋକାନୀମାନଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ ଦାବି ହୋଇଛି। ଆମ୍‌ ଆଦ୍‌ମି ପାର୍ଟିର ମୁଖ୍ୟ ପ୍ରବକ୍ତା ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି, ଏଥିରୁ ସ୍ପଷ୍ଟ ଅନୁମିତ ହେଉଛି, ବିଜେପି ଏବଂ ରାସନ ମାଫିଆଙ୍କ ମଧ୍ୟରେ ସଲାସୁତର ହୋଇ ‌ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ମିଳୁ ନାହିଁ। ଆପ୍‌ ସରକାର ଗତ ମଙ୍ଗଳବାର ତୃତୀୟ ଥର ପାଇଁ ଏହି ଯୋଜନାର ଫାଇଲ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅନୁମୋଦନ ପାଇଁ ପଠାଇଥିଲେ।
ସରକାରୀ ସୂତ୍ରରୁ ଜଣାପଡ଼ିଛି, କେନ୍ଦ୍ର ସରକାର ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ଚିଠି ଲେଖି ଏହି ଯୋଜନାକୁ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ମଞ୍ଜୁରି ଦେଇଥିଲେ। ଏହାପରେ ଅରବିନ୍ଦ କେଜରିୱାଳ ଏଲ୍‌ଜିକୁ ପ୍ରସ୍ତାବ ପଠାଇଥିଲେ। ହେଲେ ଏଲ୍‌ଜି ଏହି ଯୋଜନାକୁ ମଞ୍ଜୁରି ଦେଲେ ନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି, ଦିଲ୍ଲୀରେ ୭୨ ଲକ୍ଷ ଲୋକ ସବ୍‌ସିଡ଼ଯୁକ୍ତ ରାସନ ପାଉଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଲକ୍ଷ ଲୋକଙ୍କର ରାସନ୍‌ କାର୍ଡ ଅଛି। ଡୋର୍‌-ଟୁ-ଡୋର୍‌ ରାସନ ବିତରଣ ଯୋଜନାକୁ ନେଇ ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘଦିନରୁ ଅସହମତି ଲାଗି ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀର କେଜରିୱାଲ ସରକାର ଗତ ମାର୍ଚ୍ଚ ମାସ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଘର ଘର ଯୋଜନା ଆରମ୍ଭ କରିବାକୁ ପୂରା ପ୍ରସ୍ତୁତ ହୋଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହି ଯୋଜନାକୁ ନେଇ ଆପତ୍ତି ଉଠାଇଥିଲେ। ସେପ୍ଟେମ୍ବର ୨୭ରେ ହାଇକୋର୍ଟ ଘର-ଘର- ରାସନ ବିତରଣ ଯୋଜନା ଲାଗୁ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର