ଇନ୍ଦିରାଙ୍କ ସହ ପ୍ରିୟଙ୍କାଙ୍କ ତୁଳନା କଲା ଶିବସେନା

ମୁମ୍ବାଇ: ଶିବସେନା ପ୍ରିୟଙ୍କା ଭଦ୍ରାଙ୍କୁ ତାଙ୍କ ଜେଜେମାଆ ଇନ୍ଦିରା ଗାନ୍ଧିଙ୍କ ସହ ତୁଳନା କରିଛି। ଶିବସେନା କହିଛି ଯେ, ଲଖିମପୁର ଖେରୀ ହିଂସା ଘଟଣାକୁ ଚାପିଦେବାକୁ ଚେଷ୍ଟା ଚାଲିଥିବା ବେଳେ ପ୍ରିୟଙ୍କା ତାହା ହେବାକୁ ଦେଇ ନ ଥିଲେ। ସେ ଦଳ ଭିତରେ ଓ ଲୋକଙ୍କ ଭିତରେ ଉତ୍ସାହ ଭରିଦେଉଛନ୍ତି। ତାଙ୍କ କ୍ରିୟାକଳାପରେ ଇନ୍ଦିରା ଗାନ୍ଧିଙ୍କ ପ୍ରତିଚ୍ଛବି ଦେଖିବାକୁ ମିଳୁଛି। ଦଳୀୟ ମୁଖପତ୍ର ସାମନା‌ର ସାପ୍ତାହିକ ସ୍ତମ୍ଭ ‘ରୋକ୍‌ଠୋକ୍‌’ରେ ସେନା ସାଂସଦ ସଞ୍ଜୟ ରାଉତ ଆହୁରି ଲେଖିଛନ୍ତି ଯେ, ପ୍ରିୟଙ୍କାଙ୍କ ଭାଇ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେଉଛନ୍ତି ଏକମାତ୍ର ନେତା ଯିଏ ବର୍ତ୍ତମାନର ଭାଜପା ନେତୃତ୍ବକୁ ଟକ୍କର ଦେଇପାରିବେ। ଆମ୍ ଆଦ୍‌ମୀ ପାର୍ଟି (ଏଏପି) ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଖେଳ ବିଗାଡ଼ୁଥିବା ଅଭିଯୋଗକୁ ମଧ୍ୟ ରାଉତ ଖଣ୍ଡନ କରିଛନ୍ତି।

ସେ ଲେଖିଛନ୍ତି ଯେ ଲଖିମପୁର ହିଂସା ପାଇଁ ଯୋଗୀ ସରକାର ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧି ମୃତ କୃଷକଙ୍କ ପରିବାରକୁ ଭେଟିବାକୁ ଗଲାବେଳେ ତାଙ୍କୁ ବେଆଇନଭାବେ ଅଟକାଗଲା। ସେତେବେଳେ ଯେପରି ଭାବେ ସେ ତାହାର ପ୍ରତିବାଦ କଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ। ଜାତିକୁ ଜଗେଇବାରେ ସେ ଏକ ବଡ଼ ଭୂମିକା ନିଭାଇଛନ୍ତି ବୋଲି ରାଉତ ସାମନାରେ ଲେଖିଛନ୍ତି। ସୀତାପୁରରେ ପୁଲିସ ବାରଣ ନ ମାନି ପ୍ରିୟଙ୍କା ଯିବାକୁ ଉଦ୍ୟମ କଲାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଶେଷରେ ତାଙ୍କୁ ସୀତାପୁର ଯିବାକୁ ଅନୁମତି ମିଳିଲା। ସୀତାପୁରରେ ସେ ଯେପରି ଲୋକଙ୍କର ସମର୍ଥନ ପାଇଲେ ତାହା ଅବର୍ଣ୍ଣନୀୟ। ସେ ଚଟାଣରେ ଝାଡ଼ୁ ମାରିବା ବେଳେ ଲୋକମାନେ ବହୁସଂଖ୍ୟାରେ ଫଟୋ ଉଠାଉଥିଲେ। ରାଉତ ୧୯୭୭ ଅକ୍ଟୋବର ୩ରେ ଦୁର୍ନୀତି ଅଭିଯୋଗରେ ସିବିଆଇ ଦ୍ବାରା ଇନ୍ଦିରା ଗାନ୍ଧିଙ୍କ ଗିରଫ ସହ ପ୍ରିୟଙ୍କାଙ୍କ ଗିରଫଦାରିକୁ ତୁଳନା କରିଥିଲେ। ଏହି ଗିରଫଦାରି ଘଟଣା ପରେ ୧୯୮୦ ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧି ବହୁସଂଖ୍ୟାରେ ବିଜୟୀ ହୋଇଥିଲେ। ପ୍ରିୟଙ୍କାଙ୍କ ଗିରଫଦାରି ସେମିତି କଂଗ୍ରେସକୁ ଜିତାଇବାରେ ସାହାଯ୍ୟ କରିବ ବୋଲି ରାଉତ ସଂକେତ ଦେଇଛନ୍ତି।

ସମ୍ବନ୍ଧିତ ଖବର