୬ରେ ମାଟ୍ରିକ୍ ପରୀକ୍ଷାଫଳ; ଦିନ ଗୋଟାଏରେ ପ୍ରକାଶ ପାଇବ, ୨ଟାରୁ ୱେବସାଇଟ୍‌ରେ ଉପଲବ୍ଧ

ତିନିଟି ପଦ୍ଧତିରେ ପ୍ରସ୍ତୁତ ହୋଇଛି ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ଆସନ୍ତା ୬ ତାରିଖ ବୁଧବାର ଦିନ ୧ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଗତବର୍ଷ ଆର୍ଥାତ୍ ୨୦୨୧ରେ କରୋନା ପାଇଁ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରାଯାଇ ଫଳପ୍ରକାଶ ପାଇଥିଲା। ଏହାକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କରୋନା ପରେ ଚଳିତବ‌ର୍ଷ ପରୀକ୍ଷା କରାଯାଇ ଫଳ ପ୍ରକାଶ ପାଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି।

ଆସନ୍ତା ବୁଧବାର ଫଳ ପ୍ରକାଶନ ପୂର୍ବରୁ ସକାଳ ୧୦ ଟାରେ ବୋର୍ଡ ପରୀକ୍ଷା କମିଟି ବୈଠକରେ ଚଳିତ ବର୍ଷର ମାଟ୍ରିକ୍ ଫଳ ସଂଶୋଧିତ, ସମୀକ୍ଷା ଓ ଅନୁମୋଦନ ପରେ ଦିନ ୧ଟାରେ ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ-୨୦୨୨ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିବେ। ଦିନ ୨ଟାରେ ଏହି‌ ପରୀକ୍ଷାଫଳ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍‌ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ନାହିଁ, ସେସବୁ ଅଞ୍ଚଳର ଛାତ୍ରଛାତ୍ରୀ ଏସ୍‌ଏମ୍ଏସ୍ ଜରିଆରେ ଫଳାଫଳ ଜାଣିପାରିବେ। ସେମାନେ OR10<Roll No> ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏସ୍ଏମ୍ଏସ୍‌ ମାଧ୍ୟରେ ପରୀକ୍ଷାଫଳ ଆସିବ ବୋଲି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀ ରିଚେକିଂ ଓ ରିଆଡିସନ ପାଇଁ ଆବେଦନ କରିପାରିବେ। ଏପରିକି ଫଳ ପ୍ରକାଶ ପରେ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କାଉନ୍‌ସେଲିଂ ବ୍ୟବସ୍ଥା କରାଯାଇଛି ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।

Sambad English

ଚଳିତ ବର୍ଷ ମାଟ୍ରିକ୍‌ ଛାତ୍ରଛାତ୍ରୀ ଭିନ୍ନ ଶୈଳୀରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମୂଲ୍ୟାୟନ ଓ ମାର୍କିଂ ବ୍ୟବସ୍ଥା ମଧ୍ୟ ନିଆରା ଶୈଳୀରେ କରାଯାଇଛି। ଏବର୍ଷ ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ୪ଟି ଫ‌ର୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା( ଏଫ୍‌ଏ-୧, ଏଫ୍ଏ-୨, ଏଫ୍‌ଏ-୩, ଏଫ୍‌ଏ-୪) ପରୀକ୍ଷା ଦେଇଥିବା ବେଳେ ବୋର୍ଡ ଦ୍ବାରା ପରିଚାଳିତ ଦୁଇଟି ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା (ଏସ୍‌ଏ-୧ ଓ ଏସ୍ଏ-୨) ଦେଇଥିଲେ। ଜାନୁଆରିରେ ଏସ୍ଏ-୧ ହୋଇଥିବା ବେଳେ ‌ଏପ୍ରିଲ, ମେରେ ଏସ୍ଏ-୨ ପରୀକ୍ଷା‌ ଅନୁଷ୍ଠିତ ହୋଇଥିଲା। ଏସ୍ଏ-୨ରେ ପ୍ରତି ବିଷୟରେ ମୋଟ ୮୦ ନମ୍ବର ପରୀକ୍ଷା (୫୦ ନମ୍ବର ଅବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ସବ୍‌ଜେକ୍ଟିଭ୍) ପରୀକ୍ଷା କରାଯାଇଥିଲା। ମୂଲ୍ୟାୟନ ଓ ଫଳ ନିର୍ଦ୍ଧାରଣ ପାଇଁ ବୋର୍ଡ ପକ୍ଷରୁ ତିନିଟି ପଦ୍ଧତି ଧାର୍ଯ୍ୟ କରାଯାଇଥିଲା। ପ୍ରଥମ ପଦ୍ଧତିରେ ଏସ୍ଏ-୧ ଓ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ୍‌ର ୱେଟେଜ୍‌କୁ ଦୁଇଗୁଣା କରାଯାଇ ଫଳ ନିର୍ଦ୍ଧାରଣ କରାଯାଇଛି। ଦ୍ବିତୀୟ ପଦ୍ଧତିରେ ଏସ୍‌ଏ-୨ର ୱେଟେଜ୍‌କୁ ଦୁଇଗୁଣା କରାଯାଇ ଫଳ ନିର୍ଦ୍ଧାରଣ ହୋଇଛି ଓ ତୃତୀୟ ପଦ୍ଧତିରେ ଇଣ୍ଟରନାଲ୍ ଆସେସ୍‌ମେଣ୍ଟରୁ ୨୦ ପ୍ରତିଶତ, ଏସ୍‌ଏ-୧ରୁ ୩୦ ପ୍ରତିଶତ ଓ ଏସ୍ଏ-୨ରୁ ୫୦ ପ୍ରତିଶତ ୱେଟେଜ୍‌ ଦିଆଯାଇ ଫଳ ନିର୍ଦ୍ଧାରଣ କରାଯାଇଛି। ଉପରୋକ୍ତ ତିନିଟିଯାକ ପଦ୍ଧତିରୁ ଯେଉଁ ପଦ୍ଧତିରେ ଜଣେ ପରୀକ୍ଷାର୍ଥୀ ସର୍ବାଧିକ ନମ୍ବର ପାଇଛନ୍ତି, ତାହାକୁ ଚୂଡ଼ାନ୍ତ ପରୀକ୍ଷାଫଳ ଭାବେ ବିବେଚନା କରାଯାଇ ଫଳ ପ୍ରକାଶ କରାଯାଇଛି ବୋଲି ବୋର୍ଡ ଉପସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦେଖି ଫଳାଫଳକୁ ଯଥାସମ୍ଭବ ନିର୍ଭୁଲ କରାଯିବାକୁ ଉଦ୍ୟମ ହୋଇଛି ବୋଲି ଉପସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ଓ ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ୫ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବାବ‌େଳେ ବିଭିନ୍ନ ପରୀକ୍ଷାରେ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଏସ୍‌ଏ-୨ ପରୀକ୍ଷା ଏପ୍ରିଲ୍ ୨୯ରୁ ଆରମ୍ଭ ‌ହୋଇଥିବା ବେଳେ ମେ ୨୧ତାରିଖରୁ ମାଟ୍ରିକ୍(ଏଚ୍‌ଏସ୍‌ଇ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଜୁନ୍ ୨ତାରିଖ ମଧ୍ୟରେ ସରିଥିଲା।

ସମ୍ବନ୍ଧିତ ଖବର