ମୋଦୀ ଦେଲେ ଗ୍ୟାରେଣ୍ଟି: ପରିବାରବାଦ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍‌

ଓଡ଼ିଶା ବିକଶିତ ଭାରତର ପ୍ରବେଶ ଦ୍ବାର ହେଉ, ମାଗଣାରେ ବିଦ୍ୟୁତ୍‌ ମିଳିବ

ଯାଜପୁର/ଚଣ୍ଡିଖୋଲ: ଯାଜପୁରର ଚଣ୍ଡିଖୋଲଠାରେ ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସିଧା ସିଧା କହିଛନ୍ତି ଯେ ମୋ ପାଇଁ ରାଷ୍ଟ୍ର ହେଉଛି ପରିବାର। କିନ୍ତୁ ସେମାନଙ୍କ ପାଇଁ ନିଜ ପରିବାର ହିଁ ସବୁକିଛି। ଗୋଟିଏ ସମୟରେ ଗରିବ ଲୋକ ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା। ବର୍ତ୍ତମାନ କିନ୍ତୁ ଯିଏ ଗ୍ୟାରେଣ୍ଟି ମାଗିଲା, ତା’ର ଗ୍ୟାରେଣ୍ଟି ହେଉଛନ୍ତି ମୋଦୀ।

ଆଜି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ସିଧାସଳଖ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ‘ଇଣ୍ଡି ମେଣ୍ଟ ନିଜ ପୁଅ, ପୁତୁରା, ଭାଇ ଓ ସମ୍ପର୍କୀୟଙ୍କ ପାଇଁ ଚିନ୍ତା କରୁଛି। କିନ୍ତୁ ମୋଦୀ ଦେଶର କୋଟି କୋଟି ଜନତାଙ୍କ ପାଇଁ କାମ କରୁଛି। ପରିବାରବାଦୀଙ୍କ ଲକ୍ଷ୍ୟ ମୋଦୀକୁ ହଟାଇବା। ହେଲେ ମୋଦୀର ଲକ୍ଷ୍ୟ ତୃତୀୟ ବୃହତ୍‌ ଅର୍ଥନୀତି। ସେମାନେ ନିଜ ପିଲାଙ୍କ ପାଇଁ ହିଁ କୋଠା ନିର୍ମାଣ କରିଛନ୍ତି, କିନ୍ତୁ ମୋଦୀ ଗରିବ ଘରର ପିଲାଙ୍କ ପାଇଁ ପକ୍କା ଘର ନିର୍ମାଣ କରିଛି।’ ପୂର୍ବ ସରକାର ଏବଂ ତାଙ୍କ ସରକାର ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଅମଳରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି। ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା। ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ, ଚାଷୀଙ୍କୁ ଶସ୍ତାରେ କେମିତି ଦେବ ବୋଲି ସେ ପ୍ରଶ୍ନ କରିଥିଲେ। ମୋଦୀ କହିଥିଲେ, ଜନଧନ ଖାତା ଖୋଲିଲୁ, ମୋଦୀ ସମସ୍ତଙ୍କ ଗ୍ୟାରେଣ୍ଟି ବନିଲା। ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କଲୁ। ଆଜି ବିଶ୍ୱାସ ଜନ୍ମିଛି, ମୋଦୀ ଗରିବଙ୍କ ସାଥିରେ ଅଛି। ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦୀ ପଚାରୁଛି। ପିଏମ୍‌ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମିଳୁଛି। ପିଏମ୍‌ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି। ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ବାସ୍ତବ ରୂପ ନେଇଛି। ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ ମୋଦୀଙ୍କ କାର୍ଯ୍ୟ ଆରମ୍ଭ ହୁଏ। ଏହା ହିଁ ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏଥିସହିତ, ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନରେ ୪୦୦ ଆସନ ଜିତିବାକୁ ନିଆଯାଇଥିବା ସଂକଳ୍ପ ସଂପର୍କରେ ଉଲ୍ଲେଖ କରିଥିଲେ। ଦେଶରେ ଏକ ମଜଭୁତ ସରକାର ଗଠନ ପାଇଁ ୪୦୦ ପାର୍‌ ସଂକଳ୍ପ ନିଆଯାଇଛି। ୪୦୦ ପାର୍‌ ହେଲେ ଚାଷୀ, ଯୁଗବର୍ଗ, ନାରୀ ଶକ୍ତି ଏବଂ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆସିବ। । ଏଥିରେ ପୂର୍ବ ଭାରତ ଏବଂ ଓଡ଼ିଶାର ବଡ଼ ଯୋଗଦାନ ରହିବାକୁ ଯାଉଛି । ଗତ ୧୦ବର୍ଷରେ ବିଜେପି ନେତୃତ୍ବାଧୀନ ସରକାର ଓଡ଼ିଶାରେ ଅଭୂତପୂର୍ବ ନିବେଶ କରିଛି। ଓଡ଼ିଶା ବିକଶିତ ଭାରତର ପ୍ରବେଶ ଦ୍ବାର ହେଉ। ଓଡ଼ିଶା ବିକଶିତ ଭାରତରୁ ଉର୍ଜା ଦେଉଛି। ଏଠାରୁ ଗ୍ୟାସ୍ ପାଇପ୍ ଲାଇନ ପୂର୍ବ ଭାରତର ଅନେକ ରାଜ୍ୟରେ ପହଞ୍ଚୁଛି। ଟେକ୍ସଟାଇଲ୍ ପାର୍କ ପାଇଁ କଞ୍ଚାମାଲ୍ ଏଠାରେ ପ୍ରସ୍ତୁତ ହେଉଛି । ଗତ ୧୦ ବର୍ଷରେ ଓଡ଼ିଶାର ପେଟ୍ରୋକେମିକାଲ ସେକ୍ଟରରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ଅଧିକ ନିବେଶ ଯୋଗୁଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଓଡ଼ିଶା ଭଗବାନ ସୂର୍ଯ୍ୟଦେବଙ୍କ ଭୂମି। ସୂର୍ଯ୍ୟଦେବଙ୍କ ପ୍ରେରଣାରେ ମାଗଣାରେ ବିଦ୍ୟୁତ‌୍‌ ଦେବାପାଇଁ ଯୋଜନା ଆରମ୍ଭ କରାଯାଇଛି। ବିଜେପି ସରକାର ‘ପିଏମ୍‌ ସୂର୍ଯ୍ୟଘର’ ମାଗଣା ବିଦ୍ୟୁତ୍‌ ଯୋଜନା ଆରମ୍ଭ କରିଛି। ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ଉତ୍ପାଦନ କରିପାରିବେ। ଚାଷୀମାନେ ଚାଷଜମିରେ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ କରିପାରିବେ। ଭଗବାନ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ମନୁଷ୍ୟକୁ ଆଗକୁ ବଢ଼ିବାରେ ସୁଯୋଗ ମିଳିପାରିବ ନାହିଁ। ମାଗଣାରେ ରାସନ ମିଳୁଛି କି ନାହିଁ ବୋଲି ପ୍ରଶ୍ନ କରି ଗରିବଙ୍କୁ ଆସନ୍ତା ୫ ବର୍ଷ ଯାଏଁ ରାସନ ମିଳିବ। ପ୍ରତି ଘରକୁ ପାଣି ପହଞ୍ଚାଇବା ସହ ମହିଳା ସଶକ୍ତୀକରଣ ପାଇଁ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ନିଜର ଅଭିଭାଷଣ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଜୁବାବୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଆଜି ଓଡ଼ିଶା ମାଟିରେ ସୁଯୋଗ ମିଳିଛି ବୋଲି କହିଥିଲେ।

ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ, ରା‌ଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରା‌ଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ତଥା ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର, ଓଡ଼ିଶା ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରାକ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରାକ୍ତନ ମନ୍ତ୍ରୀ କେଭି ସିଂହଦେଓ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ପ୍ରାକ୍ତନ ମନ୍ତ୍ରୀ ସୁରମା ପାଢ଼ୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ପ୍ରଶାନ୍ତ ଜଗଦେବ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସନାତନ ବିଜୁଳି, ବିଧାୟକ ବୁଡ଼ାନ ମୁର୍ମୁ, ବିଧାୟକ ସୁକାନ୍ତ ନାୟକ, ବିଧାୟକ ନବ ମାଝୀ, ପୂର୍ବତନ ସାଂସଦ ଅନନ୍ତ ନାଏକ, କାର୍ଯ୍ୟକର୍ତ୍ତା ଡ. ଯତିନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଗୌତମ ରାୟ, ଅମର ନାୟକ, ରବୀନ୍ଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର