ବିଜୁ ଜୟନ୍ତୀରେ ସାରଦା ବିରୋଧୀଙ୍କ ମେଳି: ଆୟୋଜନ କଲେ ପୃଥକ୍ ରକ୍ତଦାନ ଶିବିର

ରାଉରକେଲା: ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀରେ ରାଉରକେଲା ବିଧାନସଭା କ୍ଷେତ୍ରରେ ଆଜି ଏକ ରୋଚକ ଦୃଶ୍ୟ ମିଳିଛି। ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦାନାୟକ ତାଙ୍କ ସମର୍ଥକମାନଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରିଥିଲା ବେଳେ ଅନ୍ୟପଟେ ତାଙ୍କ ବିରୋଧୀଗୋଷ୍ଠୀ ସମାନ ଢଙ୍ଗରେ ଆଉ ଏକ ସମାନ୍ତରାଳ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।

ସୂଚନା ଅନୁସାରେ, ରାଜ୍ୟ ଯୁବକଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ‘ଜୀବନ ବିନ୍ଦୁ’ ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ କୁନବିହାରୀ ଦାସ (କୁନଭାଇ ଫ୍ୟାନ୍‌ସ କ୍ଲବ) ବ୍ୟାନ୍‌ରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ୍‌ର ଯଶବିନ୍ଦର ସିଂହ ଗୋଲ୍‌ଡି, ଶଙ୍କର ଜେନା, ଆଫ୍ରୋଜ ଅହମ୍ମଦ, ମହମ୍ମଦ ଖାଲିଦ, ବୀରେନ୍ ପତି, ରବୀନ୍ଦ୍ର ପ୍ରଧାନ, ରାଉରକେଲା ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କର ସଭାପତି ଦିଲୀପ ମହାପାତ୍ର, ବେଦବ୍ୟାସ ଟ୍ରକ ମାଲିକ ସଂଘର ବିଶ୍ବରଞ୍ଜନ ବେଉରାଙ୍କ ସମେତ ବହୁ ପୁରୁଖା ଓ ଯୁବ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା।

ଏହି ନେତାମାନେ ପୂର୍ବରୁ ସାରଦାଙ୍କ ଘନିଷ୍ଠଥିଲେ। ରାଉରକେଲା ବିଜେଡି ପକ୍ଷରୁ ଆୟୋଜିତ ଅଧିକାଂଶ କାର୍ଯ୍ୟକ୍ରମରେ ସାରଦାଙ୍କ ସହ ଏହି ନେତାମାନଙ୍କୁ ଦେଖିବାକୁ ମିଳୁଥିଲା। ଦଳର ଗୋଷ୍ଠୀକନ୍ଦଳ ହେଉ ଅବା ଅନ୍ୟକାରଣରୁ ଏମାନେ ସାରଦାଙ୍କଠାରୁ ଦୂରେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସାରଦାଙ୍କ ଘୋର ବିରୋଧୀଭାବେ ଜଣାଶୁଣା ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସଙ୍କୁ ସମର୍ଥନ କରିଥିଲେ। ଗତ ପ୍ରାୟ ଦେଢ଼ବର୍ଷରୁ ଅଧିକ ହେବ କୁନଭାଇ ଫ୍ୟାନ୍‌ସ କ୍ଲବ ବ୍ୟାନ୍‌ରରେ ଏମାନେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଆଜି ବିଜୁ ଜୟନ୍ତୀରେ ଆୟୋଜିତ ଦୁଇ ପୃଥକ ରକ୍ତଦାନ ଶିବିର ବିଜେଡି କର୍ମୀ ମହଲକୁ ଆଲୋଚନାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର