ବନ୍ୟଜନ୍ତୁଙ୍କ ଆକ୍ରମଣରେ ୮ ବର୍ଷରେ ମଲେଣି ୬୮୦ ଲୋକ

ଚିନ୍ତା ବଢ଼ାଉଛି ବନ୍ୟଜନ୍ତୁ-ମଣିଷ ଲଢ଼େଇ, ୬ ମାସରେ ୩୫ ହାତୀ ମୃତ

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ବନ୍ୟଜନ୍ତୁ ଓ ମଣିଷ ବିବାଦ। ଗତ ୮ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୬୮୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ୨୦୧୭-୧୮ରେ ୪୨ଟି ପ୍ରଜାତିର ୫୪୯ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି। ବିଗତବର୍ଷ ତୁଳନାରେ ଏଥର ମନୁଷ୍ୟକୃତ ହାତୀ ମୃତ୍ୟୁ ସଂଖ୍ୟା କମିବା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଆଣି ଦେଇଥିଲେ ମଧ୍ୟ ଗତ ୬ ମାସରେ ୩୫ଟି ହାତୀ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି।

ଗତ ୮ ବର୍ଷର ତଥ୍ୟକୁ ଦେଖିଲେ ୨୦୧୧-୧୨ରୁ ୨୦୧୮-୧୯ ସେପ୍ଟେମ୍ବର ମାସ ମଧ୍ୟରେ ୫୪୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଅର୍ଧାଧିକ ହାତୀ ମୃତ୍ୟୁ ମଣିଷକୃତ ବୋଲି ଜଣାପଡ଼ିଛି। ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ବନ୍ୟପ୍ରାଣୀ ସଙ୍ଗଠନର ତଥ୍ୟ ଅନୁଯାୟୀ ଗତ ୮ ବର୍ଷ ମଧ୍ୟରୁ ୨୦୧୫-୧୬ରେ ସର୍ବାଧିକ ୮୫ଟି ହାତୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୦୧୬-୧୭ରେ ୭୫ ଓ ୨୦୧୭-୧୮ରେ ୭୮ ହାତୀଙ୍କ ମୃତ୍ୟୁ ହୋଇଛି। ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୩୫ଟି ହାତୀଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଟ୍ରେନ୍‌ ଧକ୍କାରେ ୫ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଗୋଟିଏ, ଉଦ୍ଦେଶ୍ୟମୂଳକ ଭାବେ ୪ଟି ହାତୀ ମରିଛନ୍ତି। ପରସ୍ପର ମଧ୍ୟ ଲଢେ଼ଇ କରିବା/ପାହାଡ଼ରୁ ଗଳିପଡ଼ିବା ପରି ଘଟଣାରେ ୮ଟି ହାତୀର ପ୍ରାଣହାନୀ ଘଟିଛି। ଖୁସିର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ସଡ଼କ ଦୂର୍ଘଟଣା, ବିଷଜନିତ କିମ୍ବା ପୋଚି˚ରେ ଗୋଟିଏ ବି ହେଲେ ହାତୀର ମୃତ୍ୟୁ ହୋଇନି। ବିଦ୍ୟୁତ୍‌ ଆଘାତରେ ଗତ ୮ ବର୍ଷରେ ୨୬ଟି ମୃତ୍ୟୁ ହୋଇଥିବା ବେଳେ ଗତ ୬ ମାସରେ ଗୋଟିଏର ମୃତ୍ୟୁ ହୋଇଛି। ଆନ୍ଥ୍ରାକ୍ସ ରୋଗରେ ୨ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟାନ୍ୟ ରୋଗରେ ୪ଟି ହାତୀ ମରିଛନ୍ତି। ପ୍ରାକୃତିକ ଭାବେ ୩ଟି ମୃତ୍ୟୁ ଘଟିଥିବା ବେଳେ ୮ଟିର ପୋଷ୍ଟମଟମ୍‌ ରିପୋର୍ଟ ସ୍ପଷ୍ଟ ହୋଇପାରି ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ହାତୀ-ମଣିଷ ଲଢେ଼ଇ ଏବେବି ଜାରି ରହିଛି। ଗତ ୮ ବର୍ଷରେ ବିଭିନ୍ନ ଜୀବଜନ୍ତୁଙ୍କ ଆକ୍ରମଣରେ ୬୮୦ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୫୩୫ ଜଣ ହାତୀ ଆକ୍ରମଣରେ ମରିଥିବା ବେଳେ ୧୪୫ ଜଣ ଅନ୍ୟାନ୍ୟ(କୁମ୍ଭିର, ଭାଲୁ, ବଣୁଆ ବାରହା, ହେଟାବାଘ) ବନ୍ୟାପ୍ରାଣୀଙ୍କ ଆକ୍ରମଣରେ ମରିଛନ୍ତି। ଗତ ୮ ବର୍ଷ ମଧ୍ୟରେ ୧୪୯୬ ଜଣ ଲୋକ ଆହତ ହୋଇଥିବା ବେଳେ ୫୩୫ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ୬୪୧୭ଟି ଘର ଭାଙ୍ଗିଛି। ଗତ ୬ ମାସରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୨୨ ଜଣ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ୧୭ ଜଣ ଆହତ ହୋଇଥିବା ବେଳେ କେବଳ ହାତୀ ଦ୍ବାରା ୧୫ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ୮୯ଟି ଘର ଭାଙ୍ଗିଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଗତବର୍ଷ ହାତୀ ସମେତ ୪୨ଟି ପ୍ରଜାତିର ୫୪୯ଟି ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି। ହରିଣଙ୍କ ମୃତ୍ୟୁ ବଢ଼ିଚାଲିଛି। ବିଭିନ୍ନ କାରଣ ପାଇଁ ୨୦୧୭-୧୮ ବର୍ଷରେ ୧୦୩ଟି ଚିହ୍ନଥିବା ହରିଣ ଓ ୪୬ଟି ଭୁକୁଥିବା ହରିଣଙ୍କର ମୃତ୍ୟୁ ହୋଇଛି। ୯୬ଟି ବଣୁଆ ବାର୍‌ହା, ୭୮ଟି ହାତୀ ଓ ୪୦ଟି କୃଷ୍ଣସାର ମୃଗଙ୍କର ପ୍ରାଣହାନୀ ହୋଇଛି।

ବନ୍ୟଜନ୍ତୁ ଓ ମଣିଷ ବିବାଦ ରୋକିବା ଦିଗରେ ପଦକ୍ଷେପ ନିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଞ୍ଚଳ ଅନୁଯାୟୀ ବନ୍ୟଜନ୍ତୁଙ୍କ ସ˚ରକ୍ଷଣ, ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ଓ ଯେଉଁ କ୍ଷୟଗସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉଛି। ଖଣି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯିବା ବେଳେ ବନ୍ୟପ୍ରାଣୀ ସ˚ରକ୍ଷଣ ଯୋଜନାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସ˚ରକ୍ଷଣ ଦିଗରେ ପଦକ୍ଷେପ ନିଆଯାଇପାରୁଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର