ମା’ ଝିଅ ହତ୍ୟା ମାମଲା : କ’ଣ କହୁଛନ୍ତି ଆଇନ ବିଶେଷଜ୍ଞ; ପ୍ରତ୍ୟକ୍ଷଦର୍ଶୀ ନ ଥାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିଯୁକ୍ତ

ଅବସରପ୍ରାପ୍ତ ଜଜ୍ ପାଇଛନ୍ତି ଫାଶୀ, ପାରିପାର୍ଶ୍ବିକ ପ୍ରମାଣ ପୁଲିସର ବଳ

ଭୁବନେଶ୍ବର : ସିନ୍ଦୂର ଓ ସମ୍ପତ୍ତି ମାଗିବାରୁ ମା’ କଳ୍ପନା ଓ ତାଙ୍କ ଝିଅଙ୍କୁ ଡ୍ରାଇଭର ସହ ମିଶି ବୀଭତ୍ସ ଭାବେ ହତ୍ୟା କଲେ ପୂର୍ବତନ ବିଧାୟକ ଅନୁପ ସାଏ। ଭୁବନେଶ୍ବରରୁ ନେଇ ଛତିଶଗଡ଼ରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ସହ ଦୁର୍ଘଟଣାର ରୂପ ଦେବା ପାଇଁ ଏକାଧିକ ଥର ଗାଡ଼ି ଚଢ଼ାଇଲେ। ଏହାପରେ ହତ୍ୟାରେ ବ୍ୟବହୃତ ଗାଡ଼ିର ଜଗ୍ ରଡ, କଳ୍ପନାଙ୍କ ମୋବାଇଲ ଫୋନ୍ ଫିଙ୍ଗି ଦେଲେ। ବୋଲେରୋକୁ ମଧ୍ୟ ଗାଏବ କରିଦେଲେ। ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଅନ୍ୟ ଆଡ଼େ ପଠାଇ ଦେବା ସହ ଯୋଗାଯୋଗ ବି ବିଚ୍ଛିନ୍ନ କଲେ। ମା-ଝିଅ ଯେଉଁ ସୁନ୍ଦରପଦା ଘରେ ରହୁଥିଲେ ତାକୁ ବି ବିକ୍ରି କରିଦେଲେ। ୩ ବର୍ଷ ୯ ମାସ ତଳର ଏହି ହତ୍ୟାକାଣ୍ଡକୁ ଲୁଚାଇବା ଲାଗି ଏତେସବୁ ପ୍ରମାଣକୁ ନଷ୍ଟ କରି ଦେଇଥିଲେ ଅନୁପ। କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଖସିଯିବେ ବୋଲି ଭାବିଥିଲେ। କିନ୍ତୁ ଆଇନର ହାତ ଏତେ ଲମ୍ବା ଯେ, ଶେଷରେ ଅନୁପ ପୁଲିସ ଜାଲରେ ପଡ଼ି ଯାଇଥିଲେ।

କେମିତି ଦୋଷୀ ସାବ୍ୟସ୍ତ ହେବେ ଅଭିଯୁକ୍ତ
ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ କହିବା ଅନୁସାରେ, ଗୋଟିଏ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀ ନ ଥାଇ ବି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବେ। ମା-ଝିଅଙ୍କୁ ହତ୍ୟା ମାମଲାରେ ପାରିପାର୍ଶ୍ବିକ ପ୍ରମାଣ ଅନୁପ ଓ ତାଙ୍କ ସହଯୋଗୀଙ୍କୁ ଦୋଷୀ କରିବାରେ ଯଥେଷ୍ଟ ସହାୟକ ହେବ। ଡିଏନ୍ଏ ଟେଷ୍ଟ ଅଭିଯୁକ୍ତଙ୍କ ବିରୋଧରେ ଏକ ବଳିଷ୍ଠ ପ୍ରମାଣ ହେବ। ଘଟଣା ପୂର୍ବରୁ ମା-ଝିଅଙ୍କ ସହ ଭୁବନେଶ୍ବରରୁ ଯାଇ ଝାରସୁଗୁଡ଼ାର ଏକ ହୋଟେଲରେ ରାତ୍ରୀଯାପନ କରିଥିଲେ। ସେଠାରୁ ବୋଲେରୋରେ ଛତିଶଗଡ଼ର ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡ ଘଟାଇଥିଲେ। ସେହି ସମୟରେ ଅନୁପଙ୍କର ଚୁଟି, ଧସ୍ତାଧସ୍ତି ବେଳେ ରାଞ୍ଚୁଡ଼ା ସମୟରେ ନଖ ଦାଗ, ରକ୍ତ ଆଦି ମୃତକଙ୍କ ଶରୀରରେ ରହି ଥାଇପାରେ। ଘଟଣା ବେଳେ ମୃତକଙ୍କ ଡିଏନ୍ଏ ମଧ୍ୟ ସଂଗ୍ରହ କରିଛି ପୁଲିସ। ଆଉ ଏବେ ଅନୁପଙ୍କ ଡିଏନ୍ଏ ସଂଗ୍ରହ କରାଯାଇ ଏହାକୁ ପ୍ରୋଫାଇଲିଂ ପାଇଁ ପଠାଯିବ। ଡିଏନ୍ଏ ପରୀକ୍ଷା ମ୍ୟାଚ୍ କଲେ ଏହା ଏକ ବଡ଼ ପ୍ରମାଣ ହେବ। ମୋବାଇଲ କଲ୍ ଡିଟେଲ୍ସ ରିପୋର୍ଟ ବି ଆଉ ଏକ ପ୍ରମାଣ। ଉଭୟଙ୍କ ଭିତରେ ଫୋନରେ କଥାବାର୍ତ୍ତା, ଝାରସୁଗୁଡାରେ ରହଣି କାଳ ଭିତରେ ଉଭୟଙ୍କ ଫୋନ ଲୋକେସନ୍, ଘଟଣାସ୍ଥଳକୁ ଯିବା ପରେ ସେଠାର ଲୋକେସନ୍, ହତ୍ୟାକାଣ୍ଡ ପରେ ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସହ କଥାବାର୍ତ୍ତାର କଲ୍ ରେକର୍ଡ ଏ ସବୁ ଆଉ ଏକ ପ୍ରମାଣ। ସେହିପରି ଡ୍ରାଇଭର ବୟାନ ବି ଏକ ବଡ଼ ପ୍ରମାଣ ହେବ।

ବିନା ପ୍ରତ୍ୟକ୍ଷଦର୍ଶୀ ନ ଥାଇ ମଧ୍ୟ ପୂର୍ବରୁ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଦାହରଣ ଦେଇ ଶ୍ରୀ ନାୟକ କହିଛନ୍ତି; ଆସାମର ଜଣେ ପୂର୍ବତନ ଜିଲା ଦୌରାଜଜଙ୍କୁ ଫାଶୀ ହୋଇଥିଲା। ଜିଲା ଜଜ୍ ଉପେନ୍ଦ୍ର ନାଥ ରାଜଖୌଆ ୧୯୭୦ରେ ଅବସର ଗ୍ରହଣ କରିଥିଲେ। କିନ୍ତୁ ସେ ସରକାରୀ କ୍ବାର୍ଟର୍ସ ଛାଡ଼ି ନ ଥିଲେ। ସରକାରୀ କ୍ବାର୍ଟର୍ସ ଛାଡ଼ିବା ପୂର୍ବରୁ ତାଙ୍କ ପତ୍ନୀ ଓ ତିନି ଝିଅ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଖୋଜଖବର ନ ମିଳିବାରୁ ଉପେନ୍ଦ୍ର ନାଥଙ୍କ ଶଳା ଏ ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ଛାନଭିନ୍ କରିବା ପରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କୁ ଗିରଫ କରିଥିଲା ଏବଂ ସେ ଦୋଷ ସ୍ବୀକାର କରିଥିଲେ। ପତ୍ନୀ ଓ ତିନି ଝିଅଙ୍କୁ ହତ୍ୟା କରିବା ପରେ ସେହି ସରକାରୀ କ୍ବାର୍ଟର୍ସର ଚଟାଣ ଖୋଳି ପୋତି ଦେଇଥିଲେ। ଏହି ମାମଲାରେ କେବଳ ପାରିପାର୍ଶ୍ବିକ ପ୍ରମାଣକୁ ଆଧାର କରି ତଳକୋର୍ଟ ଅଭିଯୁକ୍ତ ଅବସରପ୍ରାପ୍ତ ଜିଲା ଜଜଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଅଭିଯୁକ୍ତ ରାୟ ବିରୋଧରେ ହାଇକୋର୍ଟ, ସୁପ୍ରିମକୋର୍ଟକୁ ଯାଇ ନିରାଶ ହୋଇଥିଲେ। ରାଜକ୍ଷମା ଆବେଦନ ବି ଖାରଜ ହୋଇ ଯାଇଥିଲା। ୧୯୭୬ ଫେବ୍ରୁଆରୀ ୧୪ରେ ଅଭିଯୁକ୍ତ ଜଜ୍‌ ପାଶୀ ଖୁଣ୍ଟରେ ଝୁଲିଥିଲେ।

ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ବରରୁ ଅପହରଣ କରି ଝାଡଖଣ୍ଡରେ ହତ୍ୟା ମାମଲାରେ ବି କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିଲେ। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ହାଇଦର ଓ ତା ଦୁଇ ସହଯୋଗୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଅନ୍ୟ ସହଯୋଗୀ ବି ଦୋଷୀ ସାବ୍ୟସ୍ତ ହୋଇଥିଲେ। ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋର ବୟାନ ବି ପୁଲିସ ପାଇଁ ଏକ ବଡ଼ ପ୍ରମାଣ ହୋଇପାରିବ। ଏହା ସହ ଅନୁପଙ୍କର ନାର୍କୋ ଆନାଲିସିସ୍ ଟେଷ୍ଟ ଆଉ ଏକ ପ୍ରମାଣ ହେବ ବୋଲି ଆଇନଜୀବୀ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର