ମୂଲ ଲାଗୁଛନ୍ତି ଜାତୀୟ କବାଡ଼ି ଖେଳାଳି: ନମିତାଙ୍କ ପରେ ସୁନିତାଙ୍କ କରୁଣ କାହାଣୀ

ବଲାଙ୍ଗୀର: ମହିଳା କବାଡ଼ି ଟିମ୍‌ର ଅଧିନାୟିକା ରହି ଜାତୀୟ ସ୍ତରରେ ଗୌରବ ଆଣିଥିବା ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡ଼ା​ ଗାଁର ନମିତା ଭୋଇ ଛେଳି ଚରାଉଥିବା ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏବେ ବି ନମିତାଙ୍କ ସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ। ସେଇ ଗୁଡ଼ଭେଲା ବ୍ଲକର ଆଉ ଜଣେ ଗୌରବ ହେଲେ ସୁନିତା ମାଝି (୨୨)। ସୁନିତା ତାଣ୍ଡିଗାଁର ଝିଅ। ସେ ଜାତୀୟ ସ୍ତରରେ କବାଡ଼ି ଖେଳିଥିଲେ। ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିଲେ। ଆଉ ଏବେ ପେଟକୁ ଦାନା ଯୋଗାଡ଼ ପାଇଁ ଅନ୍ୟଲୋକଙ୍କ ବିଲରେ ଧାନ କାଟୁଛନ୍ତି। ଏହି ଆଦିବାସୀ ଝିଅ ଦିନେ କେବଳ ବଲାଙ୍ଗୀର ମାଟି ପାଇଁ ନୁହେଁ, ସାରା ରାଜ୍ୟ ପାଇଁ ଆଣିଥିଲେ ଗୌରବ । ଆଜି ସେ ହତାଦର ହୋଇ ଗାଁରେ ପଡ଼ି ରହିଛନ୍ତି। ପେଟ ଚାଖଣ୍ଡକ ପାଇଁ ପର ବିଲରେ ମୂଲ ଲାଗୁଥିବା ଦେଖାଯାଇଛି।

୨୦୧୪ରେ ଛତିଶଗଡ଼ରେ ଜାତୀୟସ୍ତରୀୟ କବାଡ଼ି ମ୍ୟାଚ୍‌ ବେଳେ ସୁନିତା ରାଇଟ୍‌ କର୍ଣ୍ଣରରେ ରହି ପ୍ରତିପକ୍ଷକୁ ମାତ୍ ଦେଉଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଆଜି ତାଙ୍କ ଭଳି ଜଣେ ଦକ୍ଷ ଖେଳାଳି ଅନ୍ୟ ବିଲରେ ଧାନ କାଟୁଛନ୍ତି ଓ ପରଘରେ ବାସନ ମାଜୁଛନ୍ତି । ଜାତୀୟ ସ୍ତରର କବାଡ଼ି ଖେଳି ଯେତେବେଳେ ପୂରା ଟିମ୍‌ ବିଜୟ ହୋଇ ଓଡ଼ିଶାକୁ ଫେରିଥିଲା ବହୁତ ଖୁସିଥିଲେ ସୁନିତା। ଆଜି କିନ୍ତୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଯାଇଛି। ସୁନିତାଙ୍କ ବାପା ପଙ୍କଜ ମାଝୀ ୨୦୧୦ରେ ଆରପାରିକୁ ଚାଲି ଯିବାପରେ ସେ ମା’ ପ୍ରେମଶିଳା, ଭାଇ ଓ ଭାଉଜଙ୍କ ସହ ଗାଁରେ ରହୁଛନ୍ତି। ସଇନ୍ତଲା ପଞ୍ଚାୟତ କଲେଜରେ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢ଼ିଥିବା ସୁନିତାଙ୍କୁ ଯଦି କିଛି ଆତ୍ମନିଯୁକ୍ତି ମିଳନ୍ତା ତାହେଲେ ସେ ପୁଣି ଖେଳରେ ତାଙ୍କର ପାରଦର୍ଶିତା ଦେଖାଇପାରନ୍ତେ ବୋଲି କହିଛନ୍ତି। ଖେଳ ଆଉ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଉଥିବା ସରକାର ଯଦି ବଲାଙ୍ଗୀର ଜିଲ୍ଲାର କବାଡ଼ି ଖେଳାଳି ନମିତା ଓ ସୁନିତାଙ୍କୁ ସହଯୋଗର ହାତ ବଢ଼ାନ୍ତେ, ତେବେ ଦୁଇ ଯୁବତୀ ଓ ତାଙ୍କ ପରିବାର ଉପକୃତ ହୋଇ ପାରନ୍ତେ।

ସମ୍ବନ୍ଧିତ ଖବର