ମଧ୍ୟାହ୍ନଭୋଜନ ପରିଚାଳନା ସମ୍ପର୍କିତ ଜାତୀୟ କର୍ମଶାଳା

ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳୁ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟର ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଥିବା ମଧ୍ୟାହ୍ନଭୋଜନ ୯ମ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ଗରିବ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏଥିସହ ସରସ୍ୱତୀ ଶିଶୁ ମନ୍ଦିର ଓ ବିବେକାନନ୍ଦ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା କରାଯିବା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ହୋଟେଲ ମାରିଅନ୍‌ଠାରେ ଆୟୋଜିତ ମଧ୍ୟାହ୍ନଭୋଜନ ପରିଚାଳନା ସମ୍ପର୍କିତ ଏକ ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି କହିଲେ ଯେ ମଧ୍ୟାହ୍ନଭୋଜନରେ ପ୍ରତି ପିଲାଙ୍କ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ପରିମାଣ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ପିଲାଙ୍କ ପାଇଁ ସୁଷମ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ ହୋଇପାରିବ। ଏହା ବ୍ୟତୀତ ପାଚିବା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି, ତଦାରଖ ଆକଳନ ବ୍ୟବସ୍ଥା ସମ୍ପର୍କିତ ବ୍ୟୟବରାଦ କରିବାକୁ ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇ କହିଲେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ସୁଦୃଢ଼ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିର୍ଦେଶକ(ମଧ୍ୟାହ୍ନଭୋଜନ) ବିଜୟ ଭାସ୍କର ଗୁରାଲଙ୍କ ସମେତ ୬ ଜଣ ସହଯୋଗୀ ଏହି କର୍ମଶାଳାରେ ଯୋଗଦେଇଥିଲେ। ଓଡ଼ିଶା ସମେତ ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ତେଲେଙ୍ଗାନା, ତ୍ର୍ରିପୁରା, ସିକିମ୍‌, ଲାକ୍ଷାଦ୍ୱୀପ, ପଣ୍ଡିଚେରୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗରେ ପୁଷ୍ଟିସାଧନ ଓ ମଧ୍ୟାହ୍ନଭୋଜନ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ଦେଶକ ଓ ପ୍ରତିନିଧିମାନେ ଏହି କର୍ମଶାଳାରେ ଭାଗନେଇଥିଲେ। ମଧ୍ୟାହ୍ନଭୋଜନର ରାଜ୍ୟ ନୋଡାଲ ଅଧିକାରୀ ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର