କରୋନା ପାଇଁ ନବୀନ-ମୋଦୀ ଆଲୋଚନା

ପରୀକ୍ଷଣ କେନ୍ଦ୍ର ସଂଖ୍ୟା ବଢ଼ାଅ
ପରୀକ୍ଷା ମାଗଣାରେ କରାଯାଉ
ଆଗୁଆ ଆର୍ଥିକ ସହାୟତା ମାଗିଲେ
କେନ୍ଦ୍ର ପଦକ୍ଷେପକୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ବର : ‘ବିଶ୍ୱ ମହାମାରୀ’ କରୋନାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଆଜି ସମୀକ୍ଷା ବୈଠକ କରିଛନ୍ତି। ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ପ୍ରସଙ୍ଗରେ ମତ ରଖିଥିଲେ। ଏହି ଅବସରରେ ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳିବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ପରୀକ୍ଷଣ କେନ୍ଦ୍ର ସଂଖ୍ୟାକୁ ଖୁବଶୀଘ୍ର ବଢ଼ାଯିବାର ଆବଶ୍ୟକତା ରହିଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପରୀକ୍ଷା ମାଗଣାରେ କରାଯିବା ଉଚିତ। ସେହିଭଳି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ଅନ୍ୟ ଉପକରଣ ମହଜୁଦ ରଖାଯିବା ଦରକାର।

ଏହି ଅବସରରେ କେନ୍ଦ୍ରର କିଛି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିଲେ। କହିଥିଲେ ଯେ ଆନ୍ତର୍ଜାତୀୟ ଗମନାଗମନ ଉପରେ ରୋକ ଲାଗିବା ନିଷ୍ପତ୍ତି ପ୍ରଶଂସନୀୟ। ଏସ୍‌ଡିଆର୍‌ଏଫ୍‌କୁ ପ୍ରସ୍ତୁତ ରଖିବା ଏବଂ ଇରାନ ଓ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନବୀନ କହିଥିଲେ। ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। କହିଥିଲେ, ମନରେଗାରେ ୫୦ ଦିନର ପାରିଶ୍ରମିକ ଦିଆଯିବା ଉଚିତ। ଚାଷୀଙ୍କୁ ପିଏମ କିଷାନରେ ଅତିରିକ୍ତ କିସ୍ତି ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଓ ନିର୍ମାଣ ଶ୍ରମିକ ଏବଂ ଅନ୍ୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବା ଦରକାର। ରାଜ୍ୟକୁ ଅଗ୍ରୀମ ଆକାରରେ ଅନୁଦାନ ଦିଆଯାଉ ବୋଲି ନବୀନ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ।

ସମ୍ବନ୍ଧିତ ଖବର