ପରିତ୍ୟକ୍ତ ଗୃହରୁ ଉଦ୍ଧାର ନବଜାତ ଶିଶୁର ମୃତ୍ୟୁ

ବୈପାରିଗୁଡା: ଏକ ପରିତ୍ୟକ୍ତ ଗୃହରୁ ଉଦ୍ଧାର କରାଯାଇଥିବା ନବଜାତ ଶିଶୁ ପୁତ୍ରର ଡାକ୍ତରଖାନାରେ ପହଞ୍ଚାଇବା ବେଳକୁ ମୃତ୍ୟୁ ହୋଇଯାଇଥିବା ଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା ସମୟରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ଗୈାଡଗୁଡା ଛକ ନିକଟରେ ରହିଥିବା ଏକ ପରିତ୍ୟକ୍ତ ଗୃହରୁ କେହି ଛାଡ଼ି ଦେଇଥିବା ନବଜାତ ଶିଶୁ ପୁତ୍ର ଠାବ କରାଯାଇଥିଲା। ନିଜ ଶୁଆଁବାଡ଼କୁ ଜଗିଥିବା ଜଣେ ଯୁବକ ପରିତ୍ୟକ୍ତ ଗୃହର ଏକ ବଖରା ଭିତରୁ ଶିଶୁ ପୁତ୍ରର କାନ୍ଦଣା ଶିଖିବାକୁ ପାଇ ନିକଟକୁ ଯାଇ ଶିଶୁଟିକୁ ଦେଖି ଗୌଡଗୁଡା ଆଶା କର୍ମୀଙ୍କ ନିକଟକୁ ଖବର ଦେଇଥିଲେ।

ଆଶା କର୍ମୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଟି ବଞ୍ଚିଥିବା ଦେଖି ବୈପାରିଗୁଡା ଡାକ୍ତରଖାନାକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ଶିଶୁଟିକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣା ଯାଇଥିଲା। ତେବେ ଡାକ୍ତର ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ଡାକ୍ତର କହିବା ଅନୁଯାୟୀ ଶିଶୁଟିକୁ ସନ୍ଧ୍ୟା ୫ଟା ସମୟରେ ଠାବ କରାଯାଇଥିଲେ ମଧ୍ୟ ଏହାର ଦୁଇ ତିନି ଘଣ୍ଟା ପୂର୍ବରୁ ଜନ୍ମ ହୋଇଛି। କେହି ଅଜଣା ବ୍ୟକ୍ତି ଶିଶୁଟି ଜନ୍ମ ନେବା ପରେ ଏହି ପରିତ୍ୟକ୍ତ ଗୃହରେ ଛାଡ଼ି ଦେଇ ଯାଇଥିବା ସଂଦେହ କରାଯାଏ।

ସୂଚନାଯୋଗ୍ୟ ଯେ ଏହି ଗୃହଟି କିଛି ବର୍ଷ ପୂର୍ବେ କନ୍ୟାଶ୍ରମ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା। କୈାଣସି କାରଣରୁ ତାହା ବନ୍ଦ ହୋଇଯିବା ପରେ ବର୍ତ୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହି ଘଟଣା ପୁଲିସ ଜାଣିବା ଏସ୍ଆଇ ନରସିଂହ ପାଢ଼ୀ ଏବଂ ବିଷ୍ଣୁ ଶବର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର