ମହାପ୍ରଭୁଙ୍କ ପଇତାଲାଗି: ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ପଇତାଲାଗି ପାଇଁ ନୀତି ଆରମ୍ଭ ହୋଇଥିଲା। ପଇତାଲାଗି ସେବା ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏଥିପାଇଁ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ଣ ୫ଟା ୧୫ରୁ ଜୟବିଜୟ ଦ୍ବାର ବନ୍ଦ କରାଯିବା ସହ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ପ୍ରାୟ ୧୦ଟାରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଶ୍ରୀଜିଉଙ୍କଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁଙ୍କ ପଇତାଲାଗି କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇ ଦିଆଯାଇଥିଲା। ପାଟରା ସେବକମାନେ ଏହି ବାସୁଙ୍ଗାପାଟ ନେଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟପଇତା ବୋଳିଥିଲେ। ପଇତା ବୋଳା ସରିବା ପରେ ସେବକମାନେ ଏହାକୁ ଦେଉଳକରଣଙ୍କୁ ଦେଇଥିଲେ। ଆଜି ଦ୍ବିତୀୟ ଭୋଗମଣ୍ଡପ ନୀତି ଶେଷ ପରେ ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ଖଟଶେଯ ଘରକୁ ବିଜେ କରିଥିଲେ। ପଇତା ଲାଗି ପାଇଁ ଅପରାହ୍ଣ ୫ଟା ୨୦ରେ ଦଇତାପତି ସେବକମାନେ ଗର୍ଭଗୃହରେ ପ୍ରବେଶ କରିଥିଲେ। ଦଇତାପତି ସେବକ ଦେଉଳକରଣଙ୍କଠାରୁ ତିନି ରଙ୍ଗର ପାଟ ପଇତା ନେଇ ଶ୍ରୀଜିଉଙ୍କୁ ଲାଗି କରିଥିଲେ। ବଡ଼ଠାକୁର ବଳଭଦ୍ରଙ୍କଠାରେ ସବୁଜ, ମା’ ସୁଭଦ୍ରାଙ୍କଠାରେ ନାଲି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ହଳଦିଆ ରଙ୍ଗର ପଇତା ଲାଗି କରାଯାଇଥିଲା। ପଇତା ଲାଗି କାର୍ଯ୍ୟ ରାତି ପ୍ରାୟ ସାଢ଼େ ୮ଟାରେ ଶେଷ ପରେ ଦଇତାପତି ସେବକମାନେ ଗର୍ଭଗୃହରୁ ବାହାରିଥିଲେ। ପରେ ସିଂହାସନ ଧୁଆ ହୋଇ ମହାସ୍ନାନ ବଢ଼ିଥିଲା। ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ସିଂହାସନକୁ ବିଜେ କରିଥିଲେ। ଏହାପରେ ମହାପ୍ରଭୁଙ୍କ ମଇଲମ, ବେଶ ଆଦି ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର