ଭଦ୍ରକ ବିଜେପି ପାର୍ଟି ଅଫିସରେ ପହଞ୍ଚିଲା ବିଷ୍ଣୁଙ୍କ ମର ଶରୀର

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମରଶରୀର ଭଦ୍ରକ ବିଜେପି ପାର୍ଟି ଅଫିସରେ ପହଞ୍ଚିଛି। ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ତାଙ୍କ ଶେଷଦର୍ଶନ କରିବା ସହିତ ଶୋକାଞ୍ଜଳି ଅର୍ପଣ କରିଛନ୍ତି। ସୋମବାର ସକାଳ ପ୍ରାୟ ୭ଟା ୪୫ ମିନିଟ ସମୟରେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ପତ୍ନୀ, ଗୋଟିଏ ପୁତ୍ର ଓ କନ୍ୟା ଅଛନ୍ତି।

ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ୨୦୦୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ବିଜେପିର ଜଣେ ବଡ଼ ନେତା  ଏବଂ ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ପରିଚିତ ଥିଲେ ସେ। କେବଳ ଜଣେ ରାଜନେତା ନ ଥିଲେ, ବରଂ ସେ ଜଣେ ସାହିତ୍ୟିକ ଭାବେ ବି ବେଶ ପରିଚିତ। ଜଣେ ମେଳାପୀ ଓ ସାଲିସବିହୀନ ବ୍ୟକ୍ତି ଭାବେ ସେ ଖୁବ୍ ଜଣାଶୁଣା ଥିଲେ। ସେ ଘାସଫୁଲ ସାହିତ୍ୟ ପତ୍ରିକାର ସଂପାଦକ ବି ଥିଲେ। ‌ଏଥି ସହିତ କାଜୁ ନିଗମର ଅଧ୍ୟକ୍ଷ ବି ଥିଲେ।

୧୯୬୧ ମସିହା ଜୁନ୍ ୫ ତାରିଖରେ ସେ ଜନ୍ମ ହୋଇଥିଲେ।  ଯୁବାବସ୍ଥାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ବି ସକ୍ରିୟ ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ। ଓଏଏସ୍ ପାଇଥିଲେ ବି ଚାକିରୀରେ ଯୋଗ ନ ଦେଇ ସ୍ବର୍ଗତଃ ସେଠୀ ଜନସେବାରେ ବ୍ରତୀ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ଓ ସାହିତ୍ୟିକ ମହଲରେ ଶୋକର ଛାୟ‌ା ଖେଳିଯାଇଛି।

ସମ୍ବନ୍ଧିତ ଖବର