ପାଣି ନାହିଁ, ଆଗଉନି ବୃହତ୍‌ ପାନୀୟଜଳ ପ୍ରକଳ୍ପ: ଠିକାସଂସ୍ଥାକୁ ୯୦% ବିଲ୍ ପୈଠ ସରିଛି

ଯାଜପୁର: ଅନେକ ନଦୀନାଳ ରହିଥିବା ଯାଜପୁର ଜିଲ୍ଲାରେ ଜଳଯନ୍ତ୍ରଣା। ଖରା ଆରମ୍ଭରୁ ବିଶୁଦ୍ଧ ପାଣି ପାଇଁ ଲୋକେ କଲବଲ ହେଉଛନ୍ତି। ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇବା ପାଇଁ ହୋଇଥିବା ଅଧିକାଂଶ ବସୁଧା ପ୍ରକଳ୍ପ କାମ କରୁନାହିଁ। ଆବଶ୍ୟକ ପାଣି ଅଭାବରୁ ବୃହତ୍‌ ପାନୀୟଜଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ହେଲେ ସରକାରୀ କଳକୁ ଧରି ପ୍ରକଳ୍ପ କାମ କରୁଥିବା ଠିକାସଂସ୍ଥା ୯୦ ପ୍ରତିଶତ ବିଲ୍‌ ହାତେଇ ସାରିଲାଣି।

ଯାଜପୁର ଜିଲ୍ଲାର ୧୦ ବ୍ଲକ୍‌ର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଯୋଜନା କରି ୧୫୦୫ କୋଟି ଅନୁଦାନରେ ୧୦ଟି ବୃହତ ପାନୀୟଜଳ ପ୍ରକଳ୍ପ କାମ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଥିଲା। ହେଲେ ଧାର୍ଯ୍ୟ ଅବଧି ମଧ୍ୟରେ କୌଣସି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରିନି। ଆଉ ଯେଉଁ ପ୍ରକଳ୍ପ କାମ ପ୍ରାୟ ସମାପ୍ତ ହୋଇଛି, ସେଠାରେ ଆବଶ୍ୟକ ପାଣି ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥା ସମୟ ଗଡ଼ାଇବାରେ ଲାଗିଛନ୍ତି।
ଉଦାହରଣସ୍ବରୂପ, ଦଶରଥପୁର ବ୍ଲକ୍‌ର ସିଦ୍ଧେଶ୍ବରଠାରେ ବୃହତ ପାନୀୟ ଜଳ ପ୍ରକଳ୍ପ କାମ ପ୍ରାୟ ବର୍ଷେ ହେଲା ସଂପୂର୍ଣ୍ଣ ହୋଇଯାଇଛି। ସେଠାରୁ ଠିକାସଂସ୍ଥା କ୍ୟାମ୍ପ ଉଠାଇ ଚାଲିଗଲାଣି। କିନ୍ତୁ ଲୋକେ ପ୍ରକଳ୍ପରୁ ପାଣି ଟୋପାଏ ପାଇପାରୁ ନାହାନ୍ତି। ୧୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବୃହତ୍‌ ପ୍ରକଳ୍ପରୁ ପାଣି ଯୋଗାଣ ପାଇଁ ଏବେ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ବୈତରଣୀରେ ଦୁଇଟି ଡ୍ୟାମ୍‌ ନିର୍ମାଣ ହେଉଛି। ଡ୍ୟାମ୍‌ ନିର୍ମାଣ ଶେଷ ହେବା ପରେ ପାଣି ରହିଲେ ସିଦ୍ଧେଶ୍ବର ପ୍ରକଳ୍ପରୁ ପାଣି ଯୋଗାଣ ଆରମ୍ଭ ହେବ।

ସେହିପରି ଧର୍ମଶାଳା ବ୍ଲକ୍ ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆ ଠାରେ ବ୍ରାହ୍ମଣୀ ନଦୀରେ ହୋଇଥିବା ପ୍ରକଳ୍ପର ବି ସମାନ ଅବସ୍ଥା। ଏଠାରେ ମଧ୍ୟ ପାଣି ଅଭାବରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ଅଥଚ ଠିକାସଂସ୍ଥା ୯୦% ବିଲ୍ ନେଇ ସାରିଲେଣି। ଲୋକେ କିନ୍ତୁ ପାଣି ପାଇଁ ଚାହିଁ ରହିଛନ୍ତି।
ସେହିପରି ଧର୍ମଶାଳା ବ୍ଲକ୍ ହରିଦାସପୁର ଠାରେ ଥିବା ରାମ୍‌କୋ ସିମେଣ୍ଟ କାରଖାନା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକେ ପାଣି ପାଇ ଡହଳ ବିକଳ ହେଉଛନ୍ତି। ଅଥଚ କାରଖାନା ପରିସରରେ ବୃହତ୍‌ ବୋରୱେଲଗୁଡ଼ିକ ଖୋଳାଯାଇ କଂପାନି ପାଣି ଶୋଷୁଛି। ଏଭଳି ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜିଲ୍ଲାବାସୀଙ୍କୁ ପାଣି ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର