ମୃତକଙ୍କ ଆଖିରେ ସଂସାର ଦେଖିବେ ଦୃଷ୍ଟିହୀନ: ଦୁର୍ଘଟଣାରେ ରାଉରକେଲା ବଣିକସଂଘ ପୂର୍ବତନ ସଭାପତି ମୃତ

ସୁନ୍ଦରଗଡ଼: ୧୩ ତାରିଖ ବୁଧବାର ଅପରାହ୍ନ ୧୨ଟା ୫୦ରେ ସୁନ୍ଦରଗଡ଼ ରାଣୀବଗିଚା ବିଜୁ ଏକ୍ସପ୍ରେସ ୱେ’ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣକର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ରାଉରକେଲା ବିଶ୍ରାରୋଡ୍‌ର ଦୀନଦୟାଲ ଅଗ୍ରୱାଲ ଓ ଗୁରୁତର ସୁରେଶ ଟ‌ପ୍ପୋ। ପରିବାର ପକ୍ଷରୁ ଦୀନଦୟାଲଙ୍କ ଚକ୍ଷୁଦାନ କରାଯାଇଛି। ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚକ୍ଷୁସଂଗ୍ରହ କରାଯାଇଛି। ତାଙ୍କ ଆଖିରେ ଆଉ ୨ ଜଣ ସଂସାର ଦେଖିପାରିବେ ବୋଲି ଜଣାପଡ଼ିଛି।

ଦୀନଦୟାଲ ରାଉରକେଲା ବଣିକସଂଘର ପୂର୍ବତନ ସଭାପତି ତଥା ହରିଆନା ନାଗରିକ ସଂଘର ବରିଷ୍ଠ ସଦସ୍ୟ ଥିଲେ। ସେ ରାୟପୁରରୁ ଆସୁଥିବା ତାଙ୍କ ପରିବାରକୁ ଆଣିବାପାଇଁ ଝାରସୁଗୁଡ଼ା ବିମାନବନ୍ଦର ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ ୱେ’ରେ ରାଉରକେଲା ପଟୁ ଏକ ବ୍ରିଜା କାର୍ ଦ୍ରୁତଗତିରେ ସୁନ୍ଦରଗଡ଼ ପଟେ ଆସୁଥିଲା। ଠିକ୍‌ ରାଣୀବଗିଚା ସ୍ବର୍ଗଦ୍ବାର ନିକଟ ସେତୁରେ ଆଗରେ ଥିବା ଟ୍ରକ୍‌କୁ କାର୍ ଓଭର୍‌ଟେକ୍ କଲାବେଳେ ଟ୍ରକ୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ କାର୍‌ର ଆଗସିଟ୍‌ରେ ବସିଥିବା ଦୀନଦୟାଲ ଛିଟିକିଯାଇ ସେତୁତଳେ ପଡ଼ି ପ୍ରାଣ ହରାଇଥିଲେ।

କାର୍‌ଟି ଚୁରମାର ହୋଇଯାଇଥିବାବେଳେ ଚାଳକ ସୁରେଶ ଚାପିହୋଇ ରହିଯାଇଥିଲେ। ଅଗ୍ନିଶମବାହିନୀ କଟର୍‌ରେ କାର୍‌ର କବାଟ କାଟି ତାଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତିକରିଛି। ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ କାର୍‌ ଓ ଟ୍ରକ୍‌କୁ ଜବତକରିବା ସହ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର