ନିଶାର ମାୟାଜାଲରେ ପଡ଼ିଛନ୍ତି ସ୍କୁଲ ଓ କଲେଜ ଛାତ୍ର, ବଢୁଛି ନାବାଳକ ନିଶା ସେବନକାରୀଙ୍କ ସଂଖ୍ୟା

ଜୟପୁର: ସ୍କୁଲ, କଲେଜ ପଢ଼ୁଆ କିଶୋରମାନେ ଏବେ ବିଭିନ୍ନ ନିଶାର ମାୟାଜାଲରେ ପଡ଼ିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରର ବିଭିନ୍ନ ପରିତ୍ୟକ୍ତ ସ୍ଥାନ, ସହରରେ ଥିବା ବିଭିନ୍ନ ଭଙ୍ଗା ସରକାରୀ କୋଠା କିମ୍ବା ଅବ୍ୟବହୃତ କୋଠା ମଧ୍ୟରେ ପଶି ଏସବୁ ନିଶା ନେଉଛନ୍ତି। ଏଭଳିକି ନିଶା ନେବାର କିଛି ସମୟ ପରେ ସେଠାରେ ହିଁ ପଡ଼ି ରହି ଶୋଇ ପଡ଼ୁଛନ୍ତି। ସେ ସମୟରେ ସେମାନେ ଯେ କୌଣସି ଅପରାଧ କରିବାକୁ ବି ପଛାଉ ନାହାନ୍ତି। ବସ୍ତି ଅଂଚଳର କିଶୋରମାନେ ବି ଏହି ମାୟାଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ସ୍ଥିତି ଏମିତି ହେଲାଣି ଯେ ନାବାଳକ ନିଶା ସେବନକାରୀଙ୍କ ସଂଖ୍ୟା ଜୟପୁରରେ ବହୁ ପରିମାଣରେ ବଢ଼ି ଚାଲିଥିବା ବୁଦ୍ଧିଜୀବୀ ଓ ଆଇନଜୀବୀମାନେ କହିଛନ୍ତି।

ସଂପ୍ରତି ଏହି ପିଲା ମାନେ ବିଭିନ୍ନ ବହି ଦୋକାନରେ ମିଳୁଥିବା ଇରାଜେକ୍ସ ନିଶା ନେଉଥିବା ଦେଖିବାକୁ ମିଳିଛି। ଏଲଆଇସି କାର୍ଯ୍ୟାଳୟ ପାର୍ଶ୍ବ ତଥା ସିଟି ବସ ଜମା ରହୁଥିବା ପରିତ୍ୟକ୍ତ ସ୍ଥାନ ସହ ବସ ମଧ୍ୟରେ ବସି ଏସବୁ ନିଶା ନେଉଥିବା କିଛି ପ୍ରତକ୍ଷଦର୍ଶୀ ରାମ ଦୋରା, ସଂଜୟ ପଣ୍ଡା , ହରି ଗଣ୍ଡା କହିଛନ୍ତି। ଏଭଳିକି ଏହି ନିଶାସେବନକାରୀ କିଶୋରମାନେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏଭଳି କରିବାକୁ ମନା କରିବାରୁ ତାଙ୍କୁ ଧମକଚମକ ବି ଏହି କିଶୋର ମାନେ ଦେଇଥିବା କହିଛନ୍ତି ପ୍ରତକ୍ଷଦର୍ଶୀ।

ସେହିଭଳି ମହାନ୍ତିସାହି ନିକଟରେ ଥିବା ପୁରୁଣା ସରକାରୀ କୋଠା ସହ କିଛି ନୂଆରେ ନିର୍ମାଣାଧୀନ ଘର ଗୁଡିକରେ ପଶି ବି ଏଭଳି କରୁଥିବା ସୂଚନା ମିଳିଛି। କିଛି ଘଟଣାସ୍ଥଳରୁ ଏମାନେ ବ୍ୟବହାର କରି ନିଶା ନେଇଥିବା ଇରାଜେକ୍ସ, ମଦବୋତଲ ବି ଦେଖିବାକୁ ମିଳିଥିଲା। ଅଧିକାଂଶ ନାବାଳକ ଏହି ନିଶାସେବନ କରୁଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ କିଭଳି ନିଆଯିବ ତାହାକୁନେଇ ଆଇନର ତର୍ଜମା ଆରମ୍ଭ କରିଛି ପୁଲିସ। ଅତିଶୀଘ୍ର ଏଭଳି ଆଡ୍ଡା ଗୁଡିକ ଉପରେ ଚଢ଼ାଉ କରିବା ପାଇଁ ପୁଲିସ ବି ପ୍ରସ୍ତୁତି ଆରମ୍ଭ କରିଛି। ଏଭଳି ନିଶା ନେଇ ହିଁ କିଛି ନାବାଳକ ଛୋଟ ବଡ ଅପରାଧ କରୁଥିବା ବି କିଛି ଆଇନଜୀବୀ ଓ ପୁଲିସ ବି କହିଛି।ତେବେ ଏଭଳି ନାବଳକଙ୍କୁ ଚିହ୍ନଟ କରି କିଭଳି ଏମାନଙ୍କୁ ସୁଧାରା ଯାଇ ହେବ ସେ ଦିଗରେ ପୁଲିସ, ପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ପ୍ରୟାସ କରିବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

 

ସମ୍ବନ୍ଧିତ ଖବର