ଦିନକରେ ଖୋଳିପାରିଥାନ୍ତା, କାହିଁକି ଫେଲ ହେଉଛି ଆମେରିକାରୁ ଆସିଥିବା ମେସିନ

ଉତ୍ତରକାଶୀ: ଉତ୍ତରକାଶୀସ୍ଥିତ ସିଲ୍କିଆରା-ବାରକୋଟ ଟନେଲରେ ଗତ ଦୁଇ ସପ୍ତାହ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଧା ଉପୁଜୁଛି | ଆମେରିକାରୁ ଆସିଥିବା ଅଗର ମେସିନ ବାରମ୍ବାର ଅଚଳ ହୋଇଯାଉଥିବାରୁ ଉଦ୍ଧାରକାରୀମାନେ ଏବେ ମାନୁଆଲ ଡ୍ରିଲିଂ ପାଇଁ ବିଚାର କରୁଛନ୍ତି। ତେବେ ଏହି ମେସିନ ବାରମ୍ବାର କାହିଁକି ଫେଲ ହେଉଛି | ମିଳିଥିବା ସୂଚନା ମୁତାବକ ଅଗର ମେସିନ୍ ଥରକେ ୫୦ ମିଟର ପର୍ଯ୍ୟନ୍ତ ଡ୍ରିଲ କରିପାରିବ, କିନ୍ତୁ ଉତ୍ତରାଖଣ୍ଡର ଟନେଲରେ ଇସ୍ପାତ ଜାଲ ଏବଂ ଦୃଢ଼ କଂକ୍ରିଟର ଏପରି କାନ୍ଥ ନିର୍ମାଣ କରାଯାଇଛି ଯେଉଁଥିପାଇଁ ଗତ ତିନି ଦିନ ମଧ୍ୟରେ ଏହି ମେସିନ୍ ମାତ୍ର ୨.୨୦ ଘଣ୍ଟା ପାଇଁ ହିଁ ଚାଲିପାରିଛି |

ଶୁକ୍ରବାରରୁ ରବିବାର ମଧ୍ୟରେ ମେସିନରେ ବାରମ୍ବାର ତ୍ରୁଟି ଦେଖାଦେଇଛି ଏବଂ ବର୍ତ୍ତମାନ ଏହାର ଡ୍ରିଲିଂ ଅଂଶ ଭାଙ୍ଗିଯାଇଛି | ଏଭଳି ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଅଟକି ଯାଇଛି ଏବଂ ଏହି ମେସିନର ବିକଳ୍ପ ଭାବରେ ସେନା କର୍ମଚାରୀଙ୍କୁ ଖନନ ପାଇଁ ଡକାଯାଇଛି। ଅଗର ଡ୍ରିଲିଂ ମେସିନ୍ ହେଉଛି ଏକ ଆମେରିକୀୟ ମେସିନ୍, ଯାହାକୁ ବାୟୁସେନାର ତିନୋଟି ପରିବହନ ବିମାନ ଦ୍ୱାରା ଦିଲ୍ଲୀରୁ ଡେରାଡୁନ ବିମାନବନ୍ଦରକୁ ଅଣାଯାଇଥିଲା । ଏହି ମେସିନ୍ ୧୦ ଘଣ୍ଟାରେ ୫୦ ମିଟର ପର୍ଯ୍ୟନ୍ତ ଖୋଳିପାରିବ | କିନ୍ତୁ ଟନେଲରେ ଏହାର କ୍ଷମତା ଦୁର୍ବଳ ହେବାରେ ଲାଗିଛି | ଗତ ୧୫ ଦିନରେ କେବଳ ୪୬.୯ ମିଟର ଖନନ କାର୍ଯ୍ୟ କରାଯାଇଛି। ଗତ ସପ୍ତାହେ ହେଲା ଶ୍ରମିକଙ୍କ ଉଦ୍ଧାର ପାଇଁ ଏକାଧିକ ଉଦ୍ୟମ ଚାଲିଛି। କିନ୍ତୁ ଖୋଳିବା ସମୟରେ ଅନେକ ସମସ୍ୟା ଦେଖାଦେଉଛି। ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି।

ସମ୍ବନ୍ଧିତ ଖବର