ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ, ଝାଡ଼ଖଣ୍ଡରୁ ଆସି ବଡ଼ପୁଅ ଅନୁପମ ଦେଲେ ମୁଖାଗ୍ନି

ପୁରୀ : ନାଟ୍ୟ ଜଗତର ଭୀଷ୍ମ ପିତାମହ ତଥା ‘ଜୟଦେବ’ ନାଟକର ସ୍ରଷ୍ଟା ଡ. ବିଜୟ ମିଶ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍‌ଣରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରଠାରେ ସମ୍ପନ୍ନ ହୋଇଛି। କରୋନା କଟକଣା ଭିତରେ ବଡ଼ପୁଅ ଅନୁପମ ମିଶ୍ର ଝାଡ଼ଖଣ୍ଡରୁ ଆସି ପହଞ୍ଚିବା ପରେ ମୁଖାଗ୍ନି ଦେଇଛନ୍ତି। ପ୍ରାଶାସନିକ ଅଧିକାରୀଙ୍କ ସହ ନାଟ୍ୟକଳା ଜଗତର କଳାକାରମାନେ ସ୍ବର୍ଗତ ମିଶ୍ରଙ୍କ ଶେଷ ଦର୍ଶନ କରିବା ସହ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସ୍ବର୍ଗତ ମିଶ୍ରଙ୍କ ମରଶରୀର ଆଜି ପୁରୀଠାରେ ପହଞ୍ଚିବା ପରେ ନାଟ୍ୟକାରଙ୍କ ଗହଣରେ ସ୍ବର୍ଗଦ୍ବାର ନିଆଯାଇଥିଲା। ଏହି ଅବସରରେ ପୁରୀ ବଡ଼ଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ସ୍ବର୍ଗତ ମିଶ୍ରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍ବର୍ଗତ ମିଶ୍ରଙ୍କ ଶିଷ୍ୟ, ଅନୁଗାମୀ କଳକାରମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଆତ୍ମାର ସଦ୍‌ଗତି କାମନା କରିଥିଲେ। ରଙ୍ଗଶାଳାର କଳାକାରମାନେ ବି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତନୁ ଦାଶ, ଡେପୁଟି କଲେକ୍ଟର ମନୋଜ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପ୍ରୋଟୋକଲ୍‌ ଅଫିସର ତଥା ରିଜର୍ଭ ଇନ୍‌ସପେକ୍ଟର ଗୋପୀନାଥ ମିଶ୍ର, ରଙ୍ଗଶାଳାର ବିକ୍ରିମ ସାହୁ, ନାରାୟଣ ପାଣ୍ଡେ ପ୍ରମୁଖ ପୁରୀ ସ୍ବର୍ଗଦ୍ବାରଠାରେ ସ୍ବର୍ଗତ ମିଶ୍ରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର